ରାଜ୍ୟର ସରକାରୀ ସ୍କୁଲଗୁଡ଼ିକର ବିଦ୍ୟୁତ ବିଲ୍ ବକେୟାକୁ ନେଇ ସରକାର ଅତି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଆସନ୍ତା ୭ ଦିନ ମଧ୍ୟରେ ଯଦି ଏହି ବକେୟା ଅର୍ଥ ପୈଠ ନହୁଏ, ତେବେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ପରିପ୍ରେକ୍ଷୀରେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ତରଫରୁ ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କୁହାଯାଇଛି ଯେ, ବିଦ୍ୟୁତ ବକେୟା ପୈଠ ପାଇଁ ବ୍ଲକଭିତ୍ତିକ ଟଙ୍କା ପୂର୍ବରୁ ଆବଣ୍ଟିତ ହୋଇଛି। ଏଣୁ ସାତ ଦିନ ମଧ୍ୟରେ ଉକ୍ତ ଟଙ୍କାକୁ ଉଠାଣ ଓ ବଣ୍ଟନ କରି ବିଲ୍ ଦାଖଲ ସୁନିଶ୍ଚିତ କରିବାକୁ ହେବ। ନଚେତ୍ ସଂପୃକ୍ତ ଖିଲାପକାରୀ ଅଧିକାରୀଙ୍କ ବିରୋଧରେ କଡ଼ା ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ପଷ୍ଟ ଚେତାବନୀ ଦିଆଯାଇଛି।ରାଜ୍ୟରେ ଥିବା ଅନେକ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ଦିନ ଧରି ବିଦ୍ୟୁତ ବିଲ୍ ବାକି ରହିଛି । ବିଦ୍ୟୁତ ବିତରଣ କମ୍ପାନିଗୁଡ଼ିକ ପକ୍ଷରୁ ଏଥିପାଇଁ ବାରମ୍ବାର ତାଗିଦ୍ ମଧ୍ୟ କରାଯାଉଥିଲା । ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ସମସ୍ତ ବିଇଓଙ୍କୁ ବ୍ୟକ୍ତିଗତ ଭାବେ ଦାୟିତ୍ୱ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମସ୍ତ ସରକାରୀ ସ୍କୁଲର ବିଦ୍ୟୁତ ଖର୍ଚ୍ଚ ହିସାବ ସରିବା ଆବଶ୍ୟକ ।ସେହିପରି ନିର୍ଦ୍ଦେଶକ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ବକେୟା ବିଦ୍ୟୁତ ବିଲ୍ ପୈଠର ଅଗ୍ରଗତି ଉପରେ ନିୟମିତ ନଜର ରଖିବା, ପ୍ରତ୍ୟେକ ବ୍ଲକର ସ୍ଥିତି ସମୀକ୍ଷା କରିବା ଏବଂ ଅନୁପାଳନ ରିପୋର୍ଟ ସଂଗ୍ରହ କରିବାକୁ କହିଛନ୍ତି। ଅର୍ଥାତ୍ କେବଳ ଅର୍ଥ ଆବଣ୍ଟନ କରିଦେଲେ ଚଳିବ ନାହିଁ, ବରଂ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ବିଦ୍ୟୁତ ବିଲ୍ ପରିଶୋଧ ହୋଇଥିବା ସୁନିଶ୍ଚିତ କରିବାର ଦାୟିତ୍ୱ ମଧ୍ୟ ଜିଲ୍ଲା ସ୍ତରର ଅଧିକାରୀଙ୍କ ଉପରେ ନ୍ୟସ୍ତ କରାଯାଇଛି।
