ପୁଣି ୫୦ ଟପିଲା ଆଳୁ

ରାଜ୍ୟରେ ଆଳୁ ସଙ୍କଟ ଜାରି ରହିଛି। ପଶ୍ଚିମବଙ୍ଗରୁ ଆଳୁ ଗାଡ଼ି ଓଡ଼ିଶାକୁ ଆସିବା ବନ୍ଦ ହେବା ପରେ ସ୍ଥିତି ଆହୁରି ଗମ୍ଭୀର ହୋଇଯାଇଛି। କାରଣ ୬୦ରୁ ୭୦ ଟଙ୍କାରେ ପହଞ୍ଚିଲାଣି ଆଳୁ ଦର। ଚଢ଼ା ଦରରେ ଆଳୁ ବିକ୍ରି ହେବା ଖାଉଟିଙ୍କ ପାଇଁ ଚିନ୍ତା ବଢ଼ାଇଦେଇଛି। ୨ରୁ ୩ ଦିନ ହେବ ଆଳୁ ଗାଡ଼ି ଆସି ନ ଥିବାରୁ ଦର ବଢ଼ି ଚାଲିଛି। ଯେଉଁ ବ୍ୟବସାୟୀଙ୍କ ପାଖରେ ଆଳୁ ରହିଛି ସେମାନେ ଚଢ଼ା ଦରରେ ବିକ୍ରି କରିବା ଆରମ୍ଭ କରିଛନ୍ତି। ଲୁଚାଛପାରେ ହାତଗୁଞ୍ଜା ଦେଇ ପ୍ରତିଦିନ କିଛି ଆଳୁ ଟ୍ରକ ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆସୁଛି। ହେଲେ ଗତ ୨ଦିନ ହେବ କୌଣସି ଆଳୁ ଗାଡ଼ି ଆସିନାହିଁ। ଆଳୁ ସଂକଟ ଦୂର କରିବା ପାଇଁ ରାଜ୍ୟ ସରକାର ବିକଳ୍ପଭାବେ ଉତ୍ତରପ୍ରଦେଶରୁ ଆଳୁ ମଗାଉଛନ୍ତି। ମାତ୍ର ଉତ୍ତରପ୍ରଦେଶରୁ ଆସୁଥିବା ଆଳୁକୁ ନେଇ ବ୍ୟବସାୟୀମାନେ ଖୁସି ନୁହନ୍ତି। ପଶ୍ଚିମବଙ୍ଗ ଆଳୁ ତୁଳନାରେ ଦର ଅଧିକ ହେବା ସହ ଏହା ଶୀଘ୍ର ପଚି ଯାଉଥିବା ଅଭିଯୋଗ ହେଉଛି।

ମାତ୍ର ରାଜ୍ୟ ସରକାର ଏହାକୁ ବାରମ୍ବାର ଖଣ୍ଡନ କରୁଛନ୍ତି। ଏପରିକି ଆବଶ୍ୟକ ପଡ଼ିଲେ ପଞ୍ଜାବରୁ ଆଳୁ ଅଣାଯିବ ବୋଲି ଗତକାଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ। ରାଜ୍ୟ ସରକାରଙ୍କ ଏ ପ୍ରକାର ଆଶ୍ବାସନା ସତ୍ତ୍ବେ ବଜାରରେ ଆଳୁ ଦର କମୁନାହିଁ। ବିଭିନ୍ନ ଶୀତଳ ଭଣ୍ଡାରରେ ଏବେ ୧୫-୧୭ ଟନ୍ ଆଳୁ ମହଜୁଦ ରହିଛି। ଏହା ଆସନ୍ତା ୨-୩ଦିନର ଚାହିଦା ପୂରଣ କରିପାରିବ। ସରକାର ତୁରନ୍ତ ବିକଳ୍ପ ବ୍ୟବସ୍ଥା ନ କଲେ ଆଗକୁ ଆଳୁ ଖୋଜିଲେ ବି ମିଳିବନି ବୋଲି ବ୍ୟବସାୟୀ ମହାସଂଘ ପକ୍ଷରୁ କୁହାଯାଇଛି।

ଅଧିକ ପଢନ୍ତୁ

Odisha Darpan Digital