ଆଜି ଶ୍ରାବଣ ମାସର ଶେଷ ସୋମବାର। ଏଥିଲାଗି ରାଜ୍ୟର ଅଧିକାଂଶ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼ ପରିଲକ୍ଷିତ ହେଉଛି। ମନସ୍କାମନା ପୂରଣ ଆଶାରେ ଲମ୍ବା ଧାଡିରେ ଯାଇ ଦେବ ଦେବ ମହାଦେବଙ୍କୁ ଜଳ ଲାଗି କରୁଛନ୍ତି କାଉଡିଆ। ବୋଲ ବମ୍ ହର ହର ବମ୍ ଧ୍ବନୀରେ ପ୍ରକମ୍ପିତ ହେଉଛି ପୁରା ପରିବେଶ । ଭୁବନେଶ୍ଵରର ପ୍ରଭୁ ଲିଙ୍ଗରାଜ, ଆଠଗଡର ବାବା ଧବଳେଶ୍ଵର ଏବଂ ଆରଡିର ଆଖଣ୍ଡଳମଣିଙ୍କ ପୀଠରେ ଭକ୍ତଙ୍କର ପ୍ରବଳ ଗହଳି ଲାଗିଛି। ଅନେକ ଶ୍ରଦ୍ଧାଳୁ ମାଇଲ ମାଇଲ ବାଟ ଚାଲି ପାଣି ଭାର ଉଠାଇ ଶିବଙ୍କୁ ଜଳ ଲାଗି କରିଛନ୍ତି। ରାଜଧାନୀରେ ଲିଙ୍ଗରାଜ ମନ୍ଦିରରେ ଜଳଲାଗି କରୁଛନ୍ତି ଭକ୍ତ।
ତେଣେ ପୁରୀର ଲୋକନାଥ ମନ୍ଦିର ଓ ନୟାଗଡ଼ର ଲଡ଼ୁବାବାରେ ମଧ୍ୟ କାଉଡିଆଙ୍କ ଗହଳି ପରିଲକ୍ଷିତ ହୋଇଛି।ଆଜି ଶେଷ ସୋମବାର ଓ ପୂର୍ଣ୍ଣିମା ପଡିଥିବାରୁ ସ୍ୱତନ୍ତ୍ର ମହାକାଳ ବେଶରେ ବାବା ଧବଳେଶ୍ୱର ଦର୍ଶନ ଦେଉଛନ୍ତି। ରାତି ଚାରିଟାରେ ମନ୍ଦିର ଦ୍ଵାର ଫିଟାଯାଇ ସମସ୍ତ ରୀତିନୀତି ସମାପନ କରାଯାଇଥିଲା । ଏହାପରେ ସର୍ବସାଧାରଣଙ୍କ ଦର୍ଶନ ସହିତ କାଉଡ଼ିଆମାନେ ଜଳଲାଗି କରିଥିଲେ । ଏଣେ ରାଜଧାନୀର ଲିଙ୍ଗରାଜ ମନ୍ଦିର ଓ ଢେଙ୍କାନାଳର କପିଳାସଠାରେ ବି ଅନୁରୂପ ଭିଡ଼ ପରିଲକ୍ଷିତ ହୋଇଛି।