’ଶ୍ରୀମନ୍ଦିର ବାହାରେ ବିକ୍ରି ହେଉଥିବା ଖଜା ମହାପ୍ରସାଦ ନୁହେଁ

ମହାପ୍ରଭୁଙ୍କ ଭୋଗ କହି ଶ୍ରୀମନ୍ଦିର ବାହାରେ ବିକ୍ରି ହେଉଛି ଅପମିଶ୍ରିତ ଖଜା, ଯାହାକୁ ନେଇ ସୁଆର-ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ମହାସୁଆର ଅଭିଯୋଗ କରିଛନ୍ତି। ଶ୍ରୀମନ୍ଦିର ଭିତରେ ମିଳୁଥିବା ଖଜା ହିଁ ମହାପ୍ରସାଦ । ଯଦି ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ବାହାରୁ ଖଜା କିଣୁଛନ୍ତି, ତେବେ ଭଲ ଜିନିଷରେ ତିଆରି ଖଜା ନିଅନ୍ତୁ । କିନ୍ତୁ ମହାପ୍ରସାଦ ଭାବି ଏହାକୁ କିଣନ୍ତୁ ନାହିଁ । ବ୍ୟବସାୟୀ ମାନେ ମହାପ୍ରସାଦ କହି ବିକ୍ରି କରନ୍ତୁ ନାହିଁ । ଯଦି ଏଭଳି କିଛି ନଜର ଆସେ ତେବେ ସେହି ବ୍ୟବସାୟୀଙ୍କ ଉପରେ ନିଆଯିବ କାର୍ୟ୍ୟାନୁଷ୍ଠାନ |

ଏଥିପ୍ରତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ଧ୍ୟାନ ଦେଇ ଶ୍ରୀମନ୍ଦିର ନିକଟରେ ଭୋଗ କହି ବିକୁଥିବା ଅପମିଶ୍ରିତ ଖଜାଗୁଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉ। ଜିଲାପାଳ ସିର୍ଦ୍ଧାଥ ଶଙ୍କର ସ୍ବାଇଁ କହିଛନ୍ତି, ଶ୍ରୀମନ୍ଦିର ଭିତରେ ମିଳୁଥିବା ଖଜା ହେଉଛି ଭୋଗ ଖଜା। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ ହେଉଥିବା ଖଜା ସୁପକାରଙ୍କ ଦ୍ୱାରା ଶ୍ରୀମନ୍ଦିର ରୋଷଶାଳାରେ ପ୍ରସ୍ତୁତ ହୋଇଥାଏ ଓ ଏହା ଆନନ୍ଦବଜାରରେ ବିକ୍ରି ହୋଇଥାଏ।ସ୍ଥାନୀୟ ବାସିନ୍ଦା ପ୍ରସନ୍ନ ମହାପାତ୍ର କହିଛନ୍ତି, ଗତ ୫ବର୍ଷ ମଧ୍ୟରେ ଖଜା ଦୋକାନ ପୁରୀରେ ଛତୁ ଫୁଟିଲା ପରି ଫୁଟୁଛି। ଏପରିକି ଖଜା ବ୍ୟବସାୟକୁ ନେଇ ପୁରୀରେ ହତ୍ୟାକାଣ୍ଡ ଘଟିଲାଣି। ଖଜା ଏକ ଲାଭଦାୟକ ବ୍ୟବସାୟରେ ପରିଣତ ହୋଇଛି।

ଅଧିକ ପଢନ୍ତୁ