ଆଜି ହେଉଛି ଜାତୀୟ ପର୍ଯ୍ୟଟନ ଦିବସ । ପ୍ରକୃତି ନିଜ କୋଳରେ ସଜାଇ ରଖିଥିବା ଦର୍ଶନୀୟ, ଆକର୍ଷଣୀୟ ମନଲୋଭା ସ୍ଥାନକୁ ଦେଖି ଆନନ୍ଦ ଉଠାଇବା ସକାଶେ ଭ୍ରମଣ କରିବା ପ୍ରୋତ୍ସାହନ ଦେବା ପାଇଁ ପାଳିତ ହୁଏ ଏହି ଦିବସ । ଏବେ ସାରା ବିଶ୍ୱରେ ପର୍ଯ୍ୟଟନ ହେଉଛି ଏକ ଦ୍ରୁତଗତିରେ ବିକଶିତ ହେଉଥିବା ବ୍ୟବସାୟିକ କ୍ଷେତ୍ର। ଓଡ଼ିଶାରେ ଏହି କ୍ଷେତ୍ରର ଭରପୂର ସୁଯୋଗ ରହିଛି। ସୁଦୀର୍ଘ ସମୁଦ୍ରତଟ ସହ ଐତିହାସିକ ସ୍ମାରକୀ, ପାହାଡ଼, ହ୍ରଦ, ନଦୀ, ବନ୍ୟଜନ୍ତୁଙ୍କ ପାଇଁ ସଂରକ୍ଷିତ ଜଙ୍ଗଲ, ମନ୍ଦିର, ଜୈବ ବିବିଧତା, କଳାକୃତି ଭଳି ଏକାଧିକ କ୍ଷେତ୍ର ଓଡ଼ିଶାରେ ପର୍ଯ୍ୟଟନ ପାଇଁ ବିପୁଳ ସୁଯୋଗ ସୃଷ୍ଟି କରିଛି। ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକଙ୍କୁ ଆକର୍ଷଣ କରିବାରେ ଏସବୁ ପ୍ରମୁଖ ଭୁମିକା ଗ୍ରହଣ କରୁଛି।
ଓଡ଼ିଶାକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ବର୍ଷକୁ ବର୍ଷ ବଢ଼ୁଛି। ଗତ କିଛିବର୍ଷ ଧରି ଓଡ଼ିଶାରେ ପର୍ଯ୍ୟଟନ ଶିଳ୍ପରେ ଦ୍ରୁତ ବିକାଶ ଘଟିବା ସହ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିଛି। ୨୦୨୨ ତୁଳନାରେ ୨୦୨୩ରେ ୧୦୪.୨ ପ୍ରତିଶତ ଅଧିକ ବିଦେଶୀ ପର୍ଯ୍ୟଟକ ଆସିଛନ୍ତି। ୨୦୨୨ ମସିହାରେ ୨୨, ୧୨୧ ପର୍ଯ୍ୟଟକ ଆସିଥିବା ବେଳେ ୨୦୨୩ରେ ୪୫,୧୭୩ ଜଣ ଆସିଛନ୍ତି। କରୋନା କାରଣରୁ ୨୦୨୧ ମସିହାରେ ସବୁଠାରୁ କମ୍ ବା ୨,୨୬୯ ପର୍ଯ୍ୟଟକ ଆସିଥିଲେ। ୨୦୨୩ରେ ବିମାନ ଯୋଗେ ୯୭ଲକ୍ଷ ୨୫ ହଜାର ୧୮୪ ଜଣ ପର୍ଯ୍ୟଟକ ଆସିଛନ୍ତି। ଏହାର ସଂଖ୍ୟା ୨୦୨୪-୨୫ରେ ଦ୍ବିଗୁଣିତ ହେବ ବୋଲି ଆଶା କରାଯାଉଛି।