ମହାକୁମ୍ଭ ମେଳାରେ ଦଳାଚକଟା: ୩୦ ମୃତ

ଗଦା ଗଦା କପଡ଼ା, ଚପଲ, ବ୍ୟାଗ ଓ ଅନ୍ୟାନ୍ୟ ଜିନିଷ ସବୁ ଛିନଛତ୍ର ହୋଇପଡ଼ି ରହିଛି। ନିଜର ପ୍ରିୟଜନଙ୍କୁ କିଛି ଶ୍ରଦ୍ଧାଳୁ ଖୋଜିବାରେ ଲାଗିଛନ୍ତି। ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ। ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭ ମେଳାରେ ଏପରି ସ୍ଥିତି ଦେଖିବାକୁ ମିଳିଛି।ଏଥିରେ ଅନେକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ସଂଖ୍ୟା ୩୦ ବୋଲି କୁହାଯାଉଥିଲେ ହେଁ ପ୍ରକୃତ ସଂଖ୍ୟା ଅଧିକ ହୋଇଥିବା ଆଶଙ୍କା କରାଯାଉଛି।

ତେବେ ବର୍ତ୍ତମାନ ସଙ୍ଗମ ଅଞ୍ଚଳର ପରିସ୍ଥିତି ସ୍ୱାଭାବିକ ହୋଇଛି, କିନ୍ତୁ ମହାକୁମ୍ଭରେ ସ୍ନାନ କରିବା ପାଇଁ ସେଠାରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଜାନୁଆରୀ ୧୩ରୁ ଆରମ୍ଭ ହୋଇଥିବା ମହାକୁମ୍ଭରେ ଏପର୍ଯ୍ୟନ୍ତ ପ୍ରାୟ ୨୦ କୋଟି ଲୋକ ଗଙ୍ଗାରେ ବୁଡ଼ ପକାଇ ସାରିଛନ୍ତି। ଆଜି ଅର୍ଥାତ୍ ବୁଧବାର ମୌନୀ ଅମାବାସ୍ୟାରେ ୧୦ କୋଟିରୁ ଅଧିକ ଭକ୍ତ ପହଞ୍ଚିବେ ବୋଲି ଆଶା କରାଯାଉଛି।ଅନ୍ୟପଟେ ୬୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏଥିରୁ ୧୯ ଜଣ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଆହତଙ୍କୁ ସହରର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତ ଆହତଙ୍କ ଚିକିତ୍ସା ସରକାରୀ ଖର୍ଚ୍ଚ କରିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ ଗୋଟିଏ ପରିବାର ଏକାଧିକ ଲୋକଙ୍କ ମୃତ୍ୟୁ ହୋଇଛି । କୁମ୍ଭ ନଗର ଡିଆଇଜି ବୈଭବ କୃଷ୍ଣନ କହିଛନ୍ତି ଯେ ବ୍ୟାରିକେଡିଂ ଭାଙ୍ଗି ସଙ୍ଗମ ସ୍ଥଳ ଭିତରେ ପଶିଥିବା ଲୋକ ଶୋଇଥିବା ଲୋକଙ୍କ ଉପରେ ଚଢ଼ି ଯାଇଥିଲେ । ଏହି କାରଣରୁ ହିଁ ଏଭଳି ଏକ ଅଘଟଣ ଘଟିଗଲା ।

ଅଧିକ ପଢନ୍ତୁ