ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଏପ୍ରିଲ ୧ରୁ ମିଳିବ ମାଣ୍ଡିଆ ଲଡୁ

ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ପଢୁଥିବା ପିଲାଙ୍କୁ ଉନ୍ନତ ପୁଷ୍ଟିସାର ଯୁକ୍ତ ଖାଦ୍ୟ ଯୋଗାଇବା ଲାଗି ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୧ ଏପ୍ରିଲରୁ ପ୍ରଧାନମନ୍ତ୍ରୀ ପୋଷଣ ଯୋଜନା ଅଧୀନରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଛାତ୍ରଛାତ୍ରୀମାନଙ୍କୁ ସପ୍ତାହରେ ତିନିଦିନ ପୁଷ୍ଟିକର ଲଡୁ ଯୋଗାଇ ଦିଆଯିବ।ଗୋଟିଏ ସପ୍ତାହରେ ସୋମବାର, ମଙ୍ଗଳବାର, ଗୁରୁବାର ପିଲାଙ୍କୁ ୩ଟି ଲଡୁ ଦିଆଯିବ ।ଗୋଟିଏ ଲଡୁ ପିଛା ୩ ଟଙ୍କା ୫୦ ପଇସା ଖର୍ଚ୍ଚ ହେବ । ସେଥିରୁ ସାମଗ୍ରୀ ବାବଦରେ ୩ଟଙ୍କା ୨୪ ଏବଂ ପ୍ରସ୍ତୁତି ପାଇଁ ୨୬ ପଇସା ଦିଆଯିବ । ମାଣ୍ଡିଆ ଚୁନା, ଗୁଡ଼, ଚିନାବାଦାମ, ଘିଅ, ଅଳେଇଚ, ରାଶି ଓ ଗୁଜୁରାତିରେ ଏହି ଲଡୁ ପ୍ରସ୍ତୁତ ହେବ । ପିଏମ ପୋଷଣା ଯୋଜନା ଅଧିନରେ ଆସୁଥିବା ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଏହା ଲାଗୁ କରାଯିବ ।ଲଡୁ ପ୍ରସ୍ତୁତି ପାଇଁ ରୋଷେୟା-ସହାୟକମାନଙ୍କୁ ପୂର୍ବରୁ ଆୟୋଜିତ କ୍ଷମତା ବିକାଶ କାର୍ଯ୍ୟକ୍ରମରେ ତାଲିମ ଦିଆଯାଇଛି। ଏହି ପୁଷ୍ଟିକର ଲଡୁର ରେସିପି ଓଡ଼ିଶା ମିଲେଟ୍‌ ମିଶନର ୱେବସାଇଟ୍‌ରେ ଉପଲବ୍ଧ ରହିଛି ଏବଂ ଏହାର ଏକ ଭିଡିଓ ମଧ୍ୟ ୟୁଟ୍ୟୁବରେ ଦେଖାଯାଇପାରିବ।

ଗୁଣବତ୍ତା ନିୟନ୍ତ୍ରଣ ପାଇଁ ଲଡୁଗୁଡ଼ିକୁ ବଣ୍ଟାଯିବ ଦିନ କିମ୍ବା ଦିନକ ପୂର୍ବରୁ ପ୍ରସ୍ତୁତ କରାଯିବ। ଯଦି ଆଗୁଆ ତିଆରି କରାଯାଏ, ତେବେ ଏଗୁଡ଼ିକୁ ସଫା ଓ ସ୍ୱାସ୍ଥ୍ୟସମ୍ମତ ଭାବେ ବାହାରୁ ପବନ ନପଶିବା ଡବାରେ ରଖାଯିବ, ଯାହାର ସଂରକ୍ଷଣ ଅବଧି ସର୍ବାଧିକ ୩୦ ଦିନ ରହିବ।

ଅଧିକ ପଢନ୍ତୁ

Odisha Darpan Digital