
ନୟାଗଡ଼,(ଓଡ଼ିଶା ଦର୍ପଣ):ଆଜି ନୟାଗଡ଼ ସୃଜନ ଗୃହରେ ନୟାଗଡ଼ ଜିଲ୍ଲାର ସମସ୍ତ ୮ଟି ବ୍ଲକ ଏବଂ ପୌରାଞ୍ଚଳର ୪୪ ଏ-୧ କୃତୀ ଶିକ୍ଷାର୍ଥୀଙ୍କୁ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉପଢୌକନ ଏବଂ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧନା ପ୍ରଦାନ କଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେଙ୍କ ପୌରୋହିତ୍ୟରେ ଆୟୋଜିତ ଉକ୍ତ ସମ୍ବର୍ଦ୍ଧନା ଉତ୍ସବରେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଲଗ୍ନଜିତ୍ ରାଉତ, ଦୁଇ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ସନ୍ଧ୍ୟାରାଣୀ ରାଉତ ଏବଂ ବନଲତା ବେହେରା ପ୍ରମୁଖ ମଞ୍ଚାସୀନ ରହି ଶିକ୍ଷାର୍ଥୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଚଳିତ ମାଟ୍ରିକ ପରୀକ୍ଷାରେ ଶତକଡ଼ା ନବେ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ଶିକ୍ଷାର୍ଥମାନଙ୍କୁ ଜୀବନ ବ୍ୟାପୀ କଠିନ ପରିଶ୍ରମ କରିବା ପାଇଁ ଉପସ୍ଥିତ ଶିକ୍ଷାର୍ଥୀ, ପ୍ରଧାନ ଶିକ୍ଷକ, ଅଭିଭାବକଙ୍କୁ ଅତିଥି ମାନେ ଆହ୍ବାନ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶରତ କୁମାର ସାହୁ, ଶିକ୍ଷକ ପ୍ରତାପ କୁମାର ପରିଡ଼ା, ଜୁନିୟର ଆସିଷ୍ଟାଣ୍ଟ ଅରବିନ୍ଦ ନାୟକ ଓ ସଞ୍ଜୀବ ମଲ୍ଲିକ ସୁପରିଚଳନା ଓ ସହଯୋଗ କରିଥିଲେ ।