ଯାଜପୁରରେ ବ୍ୟାପୁଛି ଝାଡ଼ାବାନ୍ତି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ସ୍ଥିତି ଗମ୍ଭୀର ରହିଛି। ଏଭଳି ସ୍ଥିତିରେ କାର୍ଯ୍ୟରେ ଅବହେଳା ଲାଗି ଜଣେ ଡାକ୍ତରଙ୍କୁ ସସପେଣ୍ଡ କରାଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି । ଏବେ ସେ ଯାଜପୁର ସଦର ମହକୁମାରେ ରହିବେ। ଉଚ୍ଚ କର୍ତ୍ତୃପକ୍ଷଙ୍କ ଅନୁମତି ନନେଇ କୁଆଡେ ଯାଇପାରିବେ ନାହିଁ। ତେବେ ସେ ହେଲେ ଡା. ହେମନ୍ତ କୁମାର ମହାରଣା। ତାଙ୍କ ବିରୁଦ୍ଧରେ ଏକ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇ ନିଲମ୍ବନ କରାଯାଇ ଥିବା ଚିଠିରେ ଉଲ୍ଲେଖ ରହିଛି। ସୂଚନାମୁତାବକ ଗତ ୩ ମାସ ତଳେ ତାଙ୍କୁ କୋରେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଡେପୁଟେସନରେ ଧର୍ମଶାଳା ମେଡିକାଲରେ ନିଯୁକ୍ତି ଦିଆଯାଇଥିଲା । ମେଡିକାଲ ଆସୁଥିବା ରୋଗୀଙ୍କୁ ସେ ବାହାରୁ ଔଷଧ କିଣିବାକୁ ପ୍ରେସକ୍ରିପସନରେ ଲେଖୁଥିଲେ। ସ୍ବାସ୍ଥ୍ୟ ସଚିବ ଧର୍ମଶାଳା ଗସ୍ତରେ ଯାଇଥିବାବେଳେ ଏହା ଜାଣିବାକୁ ପାଇଥିଲେ। ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
