ବର୍ଷା ଋତୁ ଯୋଗୁ ପର୍ଯ୍ୟଟକଙ୍କ ପାଇଁ ଆସନ୍ତା ଜୁଲାଇ ୧ ତାରିଖରୁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରହିବ। ଏନେଇ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ତେବେ ପ୍ରତିବର୍ଷ ବର୍ଷା ଋତୁରେ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳରେ ପ୍ରବେଶ ନିଷେଧ କରାଯାଇଥାଏ। କାରଣ ବର୍ଷାରେ ଅଭୟାରଣ୍ୟର ଆଭ୍ୟନ୍ତରୀଣ କଚ୍ଚା ରାସ୍ତାଗୁଡ଼ିକ ଧୋଇଯାଇ ବିପଦସଙ୍କୁଳ ହୋଇପଡ଼େ। ବର୍ଷା ପରେ ଆବଶ୍ୟକ ଭିତ୍ତିଭୂମି ମରାମତି କରାଯିବା ସହ ଶିମିଳିପାଳ ପୁଣି ଖୋଲିଥାଏ। ତେବେ ପରବର୍ତ୍ତୀ ବିଜ୍ଞପ୍ତି ଯାଏଁ ଅଭୟାରଣ୍ୟ ବନ୍ଦ ନିର୍ଦ୍ଦେଶ ବଳବତ୍ତର ରହିବ। ତେବେ ପର୍ଯ୍ୟଟକମାନେ ଜାମୁଆଣି, ଗୁଡ଼ୁଗୁଡ଼ିଆ, କୁମାରୀ, ବରେହିପାଣି ଓ ରାମତୀର୍ଥ ଇକୋ ଟୁରିଜିମ୍ ପ୍ରକଳ୍ପ ବୁଲିପାରିବେ।
