ତେଲେଙ୍ଗାନା ସାଙ୍ଗାରେଡ୍ଡି ଜିଲ୍ଲାର କେମିକାଲ କାରଖାନାରେ ହୋଇଥିବା ବିସ୍ଫୋରଣରେ 5 ଓଡ଼ିଆ ନିଖୋଜ । ତେଲେଙ୍ଗାନା ବିସ୍ଫୋରଣରେ ଏବେ ବି 5 ଓଡ଼ିଆ ଶ୍ରମିକଙ୍କର ମିଳୁନି ପତ୍ତା । ଗଞ୍ଜାମରୁ 2 ଜଣ, ନବରଙ୍ଗପୁରରୁ 2 ଜଣ ଏବଂ କଟକରୁ ଜଣେ ନିଖୋଜ ଥିବା ସୂଚନା । ଘଟଣାସ୍ଥଳରେ ନିଖୋଜଙ୍କର ପରିବାର ବର୍ଗ ଉପସ୍ଥିତ ଅଛନ୍ତି । ନିଖୋଜ 5 ଜଣ ହେଲେ ନବରଙ୍ଗପୁର ଜିଲ୍ଲାର ଚଇତୁ ଭତ୍ରା ଓ ରମେଶ ଗୌଡ଼, ଗଞ୍ଜାମ ଜିଲ୍ଲାର ପ୍ରଶାନ୍ତ ମହାପାତ୍ର ଓ ସିଦ୍ଧାର୍ଥ ଗୌଡ଼ ଏବଂ କଟକ ଜିଲ୍ଲାର ପୂର୍ଣ୍ଣଚନ୍ଦ୍ର ସାହୁ । ଚଇତୁ ଭତ୍ରା ଓ ରମେଶ ଗୌଡ଼ ନବରଙ୍ଗପୁର ଝରିଗାଁ ବ୍ଲକ କୋଦଭଟା ଗାଁର । ବିସ୍ଫୋରଣ ଦିନ ସେମାନେ ସେହି କମ୍ପାନିରେ କାମ କରୁଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇଜଣଙ୍କର କିଛି ଖୋଜଖବର ମିଳିନାହିଁ । ଗାଁର କିଛି ଲୋକ ଏବଂ ସମ୍ପର୍କୀୟ ତେଲେଙ୍ଗାନାର ସେହି ଘଟଣାସ୍ଥଳକୁ ଯାଇଛନ୍ତି । ଡିଏନଏ ଟେଷ୍ଟ ପାଇଁ ନମୁନା ଦେଇଛନ୍ତି ।ବର୍ତ୍ତମାନ ସୁଦ୍ଧା 36 ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ଏବେ ବି ଅନେକ ଶ୍ରମିକ ନିଖୋଜ ରହିଛନ୍ତି। ତେଣୁ ମୃତ୍ୟୁସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି । ମୃତକଙ୍କ ମଧ୍ୟରେ ବିହାର, ଓଡ଼ିଶା, ମଧ୍ୟପ୍ରଦେଶ ଓ ଆନ୍ଧ୍ର ପ୍ରଦେଶର ଶ୍ରମିକ ରହିଛନ୍ତି। ଘଟଣା ବେଳେ ପ୍ଲାଣ୍ଟରେ ମୋଟ 143 ଜଣ ରହିଥିଲେ। ତେବେ ଏହି କମ୍ପାନି ଔଷଧ ତିଆରି କରେ । ବିସ୍ଫୋରଣର କାରଣ ଜଣାପଡିନାହିଁ, ତଦନ୍ତ ଜାରି ରହିଛି ।
