ଏମ୍ସ୍ରେ ଚିକିତ୍ସାଧୀନ ଥିବା ବାଲେଶ୍ବର ଫକୀରମୋହନ କଲେଜ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ କାନ୍ଦିକାନ୍ଦି ସୂଚନା ଦେଇଛନ୍ତି ଛାତ୍ରୀଙ୍କ ବାପା। ସେ କହିଛନ୍ତି, ଝିଅର ସମ୍ପୂର୍ଣ୍ଣ ଶରୀର ବ୍ୟାଣ୍ଡେଜ କରାଯାଇଛି। ୯୮ ପ୍ରତିଶତ ଅକ୍ସିଜିନ ସିଷ୍ଟମ ଭିତରେ ରଖାଯାଇଛି। ସ୍ୱାସ୍ଥ୍ୟାବସ୍ଥାରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏୟାର ଲିପ୍ଟ କରିବା ଏବେ ସମ୍ଭବ ନୁହେଁ। ଡାକ୍ତର ଚିକିତ୍ସା କରୁଛନ୍ତି। ତେବେ ଏହି ସମୟରେ ଏକ ଭିଡିଓ ସାମ୍ନାକୁ ଆସିଛି। ଯାହାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ପୀଡିତା ଜୁଲାଇ ୨ରେ ଗଣମାଧ୍ୟମକୁ ଦେଇଥିବା ବୟାନ ଭାଇରାଲ ହେଉଛି।ଜୁଲାଇ ୨ରେ ଗଣମାଧ୍ୟମକୁ ଦେଇଥିବା ବୟାନରେ ପୀଡିତା ଜଣଙ୍କ କହିଥିଲେ, ମୋର ଇଂଲିଶ ହୋଉନଥିଲା। ମୁଁ ସାର୍ଙ୍କୁ କହିଲି। ହେଲେ ସାର୍ ମୋତେ ଫେବର କଥା କହିଲେ। ମୁଁ ଶୁଣିକି ରାଗିଯାଇଥିଲି। ସିଧା ରୁମ୍କୁ ପଳାଇଆସିଥିଲି। ପରେ ମୋର ବ୍ୟକ୍ତିଗତ କାରଣ ଯୋଗୁ କ୍ଲାସ୍ରେ ଅନୁପସ୍ଥିତି ଥିଲି। ତାହାକୁ କେନ୍ଦ୍ର କରି ସାର୍ ମୋ ବାପାଙ୍କୁ କଲ୍ କରିଥିଲେ। ମୋ ନାଁରେ ଇଆଡୁ ସିଆଡୁ କହିଲେ। ଏପରିକି ମୋତେ ପରୀକ୍ଷା ଦେବାକୁ ଦେଲେ ନାହିଁ। କ୍ଲାସ୍ କରିବାକୁ ଦେଲେନାହିଁ। କବାଟ ବାହାରେ ଛିଡା ହେଇ ବହୁତ କାନ୍ଦିଛି। ୮ ମାସ ହେବ ଏମିତି ଚାଲିଥିଲା। ସାର୍ ମୋତେ ପରୀକ୍ଷାରେ ବ୍ୟାକ୍ ଲଗାଇବାକୁ ଧମକ ଦେଉଥିଲେ। ଯାହାକୁ ନେଇ ମୁଁ ଡରିଯାଇଥିଲି। ପ୍ରିନ୍ସପାଲଙ୍କୁ ଏକଥା ଜଣାଇଥିଲି। ହେଲେ କିଛି ସୁଫଳ ମିଳିନଥିଲା। ମୁଁ ସୁଇସାଇଡ୍ ଉଦ୍ୟମ କରିଥିଲି ବୋଲି ପୀଡିତା ଜଣଙ୍କ ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ। ଅନ୍ୟପଟେ ଭୁବନେଶ୍ୱର ଏମ୍ସ ଅଧୀକ୍ଷକ ଦିଲୀପ ପରିଡା ସୂଚନା ଦେଇଛନ୍ତି ଯେ ୭୨ଘଣ୍ଟା ଛାତ୍ରୀଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।
