ବନ୍ଦେ ଭାରତ, ନମୋ ଭାରତ ଏବଂ ଅମୃତ ଭାରତ ପରେ ଏବେ ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍ ଚାଲିବ ।ବନ୍ଦେ ଭାରତ ସ୍ଲିପର ଟ୍ରେନ୍ର ବଗିଗୁଡ଼ିକୁ BEML ଇଣ୍ଟିଗ୍ରଲ କୋଚ୍ ଫ୍ୟାକ୍ଟ୍ରିର ଉପାୟରେ ତିଆରି କରାଯାଇଛି । ଏହି ଟ୍ରେନ୍କୁ ବିଶେଷ କରି ରାତି ସମୟର ଅଧିକ ଦୂରତା ବିଶିଷ୍ଟ ଯାତ୍ରାକୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଛି । ଏହାର ସର୍ବାଧିକ ବେଗ ଘଣ୍ଟାପ୍ରତି ୧୮୦ କିଲୋମିଟର ରହିବ । ବନ୍ଦେ ଭାରତ ସ୍ଲିପର୍ ଟ୍ରେନରେ ମୋଟ ୧୬ଟି କୋଚ୍ ରହିବ। ଏଥିରେ ଏସି ଫାଷ୍ଟ କ୍ଲାସ୍, ଏସି ସେକେଣ୍ଡ ଟାୟାର, ଏସି ଥାର୍ଡ ଟାୟାର କୋଚ୍ ରହିବ। ଏଥିରେ ୧୧୨୮ ଜଣ ଯାତ୍ରୀଙ୍କ ପାଇଁ ସିଟ୍ ରହିବ। ପ୍ରତ୍ୟେକ ବର୍ଥରେ ରିଡିଂ ଲାଇଟ୍ ଏବଂ USB ଚାର୍ଜିଂ ପଏଣ୍ଟର ସୁବିଧା ରହିବ। ସାର୍ବଜନୀକ ଘୋଷଣା ସୁବିଧା ସହିତ ଭିଜୁଆଲ୍ ଡିସପ୍ଲେ, ସିସିଟିଭି କ୍ୟାମେରା ଏବଂ ଡିଜିଟାଲ୍ ସୂଚନା ପ୍ୟାନେଲ୍ ମଧ୍ୟ ରହିବ। ଦିବ୍ୟାଙ୍ଗ ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ବର୍ଥ ଏବଂ ଶୌଚାଳୟ ବ୍ୟବସ୍ଥା କରାଯାଇଛି। ଗୁଜୁରାଟର ଭାବନଗରଠାରେ ରବିବାର ଦିନ ଏକ କାର୍ଯ୍ୟକ୍ରମରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ସେପ୍ଟେମ୍ୱରରେ ଆରମ୍ଭ ହେବ । ଏହି ଟ୍ରେନ୍ଟି କେଉଁ ରୁଟ୍ରେ ଚାଲିବ ସେ ବିଷୟରେ କିଛି କହିନାହାନ୍ତି । ସେ ଅହମଦାବାଦ ଏବଂ ମୁମ୍ୱାଇ ମଧ୍ୟରେ ଶୀଘ୍ର ଏକ ବୁଲେଟ୍ ଟ୍ରେନ୍ ଆରମ୍ଭ କରିବା ବିଷୟରେ ମଧ୍ୟ କହିଥିଲେ ।
