ସ୍ବତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଅଭିଯୁକ୍ତ ରାମ୍ଜୀ ପ୍ରସାଦ ଗୁପ୍ତା ଏବଂ ସନାତନ ବିଶୋଇ ଗୁରୁବାର ରିମାଣ୍ଡରେ ଆସିବେ। ଚୌଦ୍ବାର ଜେଲ୍ରୁ କ୍ରାଇମ୍ବ୍ରାଞ୍ଚ ସେମାନଙ୍କୁ ମୁଖ୍ୟାଳୟକୁ ଆଣି ଜେରା କରିବ। ଉଭୟ ପ୍ରଶ୍ନପତ୍ର ପ୍ରଘଟରେ କେଉଁ ଭୂମିକା ନିଭାଇ ଥିଲେ, କିଭଳି ଏହି କାରବାରରେ ସମ୍ପୃକ୍ତ ହେଲେ, ଏଥିପାଇଁ ତାଙ୍କୁ କେତେ ଟଙ୍କା ମିଳିଛି ଏବଂ ଆଉ କିଏ କିଏ ସମ୍ପୃକ୍ତ ରହିଛନ୍ତି, ସେଥିନେଇ ବିଭିନ୍ନ ପ୍ରଶ୍ନ ଉପରେ କ୍ରାଇମବ୍ରାଞ୍ଚ ଜେରା କରିବ। ତେଣୁ ଉଭୟଙ୍କୁ ଜେରା ପରେ ଅଧିକ ତଥ୍ୟ ମିଳିପାରିବ ।ସୂଚନାଯୋଗ୍ୟ ଯେ, ଓଟିଇଟି ପ୍ରଶ୍ନପତ୍ର ପ୍ରଘଟରେ ମୋଟ ୮ ଜଣ ଗିରଫ ହୋଇସାରିଛନ୍ତି। ଏହି ଗିରଫଦାରୀ ବଢ଼ିବାର ଆଶଙ୍କା ରହିଛି। ତେଣୁ ସବୁ ଅଭିଯୁକ୍ତଙ୍କୁ ଜେରା କରିବାକୁ ଯୋଜନା କରିଥିବାବେଳେ ପ୍ରଥମେ ଅଭିଯୁକ୍ତ ଜିତନ ମହାରଣା ଏବଂ ବିଜୟ ମିଶ୍ରଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିସାରିଛି। ରାମ୍ଜୀ ଏବଂ ସନାତନଙ୍କୁ ରିମାଣ୍ଡରେ ଆଣିବାକୁ କଟକ ଜେଏମଏଫସି-୩ କୋର୍ଟ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଛନ୍ତି। ରାମ୍ଜୀ ବାଦାମବାଡ଼ି ଅଞ୍ଚଳର ଜଣେ ବ୍ୟବସାୟ ହୋଇଥିବାବେଳେ ସନାତନ ହେଉଛନ୍ତି କୋରାପୁଟ ଏକ୍ସ- କ୍ୟାଡର ଶିକ୍ଷକ ସଂଘର ସଭାପତି। ସେମାନଙ୍କ ସମ୍ପୃକ୍ତି ନେଇ କ୍ରାଇମବ୍ରାଞ୍ଚ ପୂର୍ବରୁ ସ୍ପଷ୍ଟ କରିସାରିଛି।
