ବାଲୁକା କଳାରେ ଅଭିଜିତ ମଜୁମଦାରଙ୍କ ସୁସ୍ଥତା କାମନା କଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ଓଡ଼ିଆ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର ଅସୁସ୍ଥ । ସୂଚନା ଅନୁସାରେ, ଲିଭର ଜନିତ ସମସ୍ୟା ଯୋଗୁଁ ଅସୁସ୍ଥ ହୋଇଥିବାରୁ ଅଭିଜିତଙ୍କୁ ପ୍ରଥମେ କଟକର ଏକ ଘରୋଇ ହସ୍ପିଟାଲରେ ପରେ ଏମ୍ସରେ ଭର୍ତ୍ତି କରାଯାଇଛି । ତେବେ ସେ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ଫ୍ୟାନ୍ସ ସମେତ ସେଲିବ୍ରିଟି ତାଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି । ରବିବାର ଦିନ ପୁରୀ ବେଳାଭୂମିରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା ଚିତ୍ର ଆଙ୍କିଛନ୍ତି । ଏହି ବାଲୁକାଚିତ୍ରରେ ସେ ଲେଖିଛନ୍ତି, “Get well soon, Abhijit Majumdar (ଶୀଘ୍ର ସୁସ୍ଥ ହୁଅ, ଅଭିଜିତ ମଜୁମଦାର) । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ଆଶୁ ଆରୋଗ୍ୟ ପ୍ରାର୍ଥନା କରୁଛୁ ।” ଏହା ସହ ସେ କହିଛନ୍ତି, ”ଲୋକପ୍ରିୟ ସଙ୍ଗୀତଜ୍ଞ ଅଭିଜିତ ମଜୁମଦାର ଯିଏ ଘରେ ଘରେ ପରିଚିତ, ତାଙ୍କ ଅସୁସ୍ଥତା ଆମକୁ କଷ୍ଟ ଦେଇଛି । ତାଙ୍କ ଫ୍ୟାନ୍ସ ସମେତ ସମସ୍ତ ଓଡ଼ିଶାବାସୀ ତାଙ୍କ ସୁସ୍ଥାତ ପାଇଁ ପ୍ରାର୍ଥନା କରୁଛନ୍ତି । ଯଥାଶୀଘ୍ର ସେ ସୁସ୍ଥ ହୋଇ ଫେରନ୍ତୁ ଏବଂ ତାଙ୍କ ସଙ୍ଗୀତ ଯାତ୍ରା ଜାରି ରଖନ୍ତୁ । ଆମେ ମଧ୍ୟ ବାଲୁକା କଳା ମାଧ୍ୟମରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛୁ ତାଙ୍କୁ ଶୀଘ୍ର ସୁସ୍ଥ କରନ୍ତୁ । ସେ ଶୀଘ୍ର ଆରୋଗ୍ୟ ହୋଇ କୋଟି କୋଟି ଶ୍ରୋତାଙ୍କ ନିକଟରେ ପୁଣି ନିଜ ସଙ୍ଗୀତ ଜାରି ରଖନ୍ତୁ ।”

ଅଧିକ ପଢନ୍ତୁ