ହିନ୍ଦୁ ଧର୍ମରେ ନବରାତ୍ରୀର ଉତ୍ସବ ବହୁତ ମହତ୍ତ୍ୱ ରଖିଥାଏ । ଏହି ନବରାତ୍ର ୯ ଦିନ ପାଳନ କରାଯାଏ । ଏହି ପୂଜା ସମ୍ପୂର୍ଣ୍ଣ ଭାବରେ ମା’ ଦୁର୍ଗାଙ୍କୁ ସମର୍ପଣ କରାଯାଇଥାଏ । ମାଆଙ୍କ ନଅଟି ରୂପର ପ୍ରଥମ ରୂପ ହେଉଛନ୍ତି ମା’ ଶୈଳପୁତ୍ରୀ । ନବରାତ୍ରୀର ପ୍ରଥମ ଦିନରେ ମା’ ଶୈଳପୁତ୍ରୀଙ୍କ ବିଧିବିଧାନର ସହ ପୂଜାର୍ଚ୍ଚନା କରାଯାଏ । ମା’ଙ୍କ ଏହି ରୂପ ପଛରେ ଥିବା ତାତ୍ତ୍ୱିକ ଅବଧାରଣା ଧାର୍ମିକ , ସାଂସ୍କୃତିକ ଏବଂ ସାମାଜିକ ବିକାଶ ପାଇଁ ଆବଶ୍ୟକ । ହିମାଳୟ ଗର୍ଭରେ ଜନ୍ମ ନେଇଥିବାରୁ ମା’ଙ୍କ ନାଁ ରହିଲା ଶୈଳପୁତ୍ରୀ । ବୃଷଭ ପିଠିରେ ବିରାଜିଥିବା ମା’ ଙ୍କୁ ବୃଷାରୁଢା ନାମରେ ମଧ୍ୟ ଆବାହନ କରାଯାଏ । ମା’ଙ୍କ ଡାହାଣ ହସ୍ତରେ ତ୍ରିଶୂଳ ଧାରଣ ଏବଂ ବାମ ହସ୍ତରେ କମଳ ସୁଶୋଭିତ ହେଉଛି । ଦୁର୍ଗାଦେବୀଙ୍କ ପ୍ରଥମ ରୂପ ମା’ ସତୀଙ୍କୁ ମା’ ଶୈଳପୁତ୍ରୀଙ୍କ ସହ ତୁଳନା କରାଯାଏ ।ପାର୍ବତୀ ଏବଂ ହେମବତୀ ନାଁରେ ମଧ୍ୟ ମାତାଙ୍କ ପ୍ରସିଦ୍ଧି ରହିଛି । ମାତା ଶୈଳପୁତ୍ରୀଙ୍କ ପୂଜା ଉପାସନା କଲେ ସୂର୍ଯ୍ୟ ମହାଗ୍ରହଙ୍କ ଦୋଷ ସମସ୍ୟା ଦୂର ହୋଇଥାଏ । ମାଆଙ୍କ ପାଖରେ ଶୁଦ୍ଧ ଘିଅର ଭୋଗ କଲେ ସୂର୍ଯ୍ୟ ମହାଗ୍ରହ ଆର୍ଶିବାଦ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ କରାଯାଏ ।ଏହି ବିଶେଷ ଦିନରେ ମାଆଙ୍କୁ ପୂଜା କଲେ ମୁଳାଧାର ଚକ୍ର ଜାଗ୍ରତ ହୁଏ ଏବଂ ଅନେକ ସିଦ୍ଧି ପ୍ରାପ୍ତ ହେବା ସହ ଜୀବନର ସମସ୍ତ କଷ୍ଟ ଓ ଦୁଃଖ ଦୂର ହୋଇଥାଏ ।
ଏହି ସ୍ୱରୂପରେ ମାଆଙ୍କର ପ୍ରିୟ ରଙ୍ଗ ଧଳା ବୋଲି ବିଶ୍ୱାସ ରହିଛି । ସେଥିପାଇଁ ମାଆଙ୍କୁ ଧଳା ଫୁଲ ଅର୍ପଣ କରାଯାଏ ଓ ଧଳା ମିଠା ଭୋଗ ଲଗାଯାଏ । ମାଆ ଶୈଳପୁତ୍ରୀଙ୍କୁ ପୂଜା କଲେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିଥାଏ । ମା’ଙ୍କ ଆର୍ଶିବାଦରୁ ମନ ଶାନ୍ତ ରହେ । ମାଆଙ୍କୁ ପାନ ପତ୍ରରେ ଲବଙ୍ଗ ଓ ମିଶ୍ରି ଅର୍ପଣ କଲେ ନକରାତ୍ମକ ଶକ୍ତିର ବିନାଶ ହୋଇଥାଏ ।