ଆଉ ମାତ୍ର ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି । ଦୀପ ଲଗାଇବା ହେଉଛି ଆମର ପରମ୍ପରା । ବର୍ତ୍ତମାନ ବଜାରରେ ଖୁବ କମ୍ ଟଙ୍କାରେ ସୁନ୍ଦର ସୁନ୍ଦର କୋଲକାତା ଦୀପ ମିଳୁଥିବା ବେଳେ ଦେଶୀ ଦୀପରୁ ମୁହଁ ଫେରାଉଛନ୍ତି ଗ୍ରାହକ । ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି କୁମ୍ଭାରମାନେ ଯଦିଓ ଦୀପ ପ୍ରସ୍ତୁତ କରୁଛନ୍ତି ତଥାପି କୋଲକାତା ଦୀପ ଲୋକଙ୍କୁ ବେଶ ଆକୃଷ୍ଟ କରୁଛି । ଅର୍ଥାତ ଦେଶୀ ମାଟିର ଦୀପଠାରୁ କୋଲକାତା ଦୀପକୁ ଲୋକେ ବେଶ ପସନ୍ଦ କରୁଛନ୍ତି । ଫଳରେ କୁମ୍ଭାରମାନେ ଅନେକ ମାତ୍ରାରେ ପ୍ରଭାବିତ ହେଉଛନ୍ତି । ଦେଶୀ ଦୀପର ପୂର୍ବ ଭଳି ଆଉ ଚାହିଦା ରହୁ ନାହିଁ ତଥାପି ପରାମ୍ପରା ଅନୁସାରେ ଲୋକମାନେ ଏହାକୁ ବ୍ୟବହାର କରୁଛନ୍ତି । ସେପଟେ କିଛି ଲୋକଙ୍କ ଆବଶ୍ୟକତାକୁ ଦେଖି କୁମ୍ଭାରମାନେ ମାଟି ଦୀପ ପ୍ରସ୍ତୁତ କରୁଛନ୍ତି ।ବର୍ତ୍ତମାନ ମାଟି ଦୀପ ପାଇଁ କଞ୍ଚାମାଲର ଘୋର ଅଭାବ ଦେଖାଯାଇଛି । ବହୁ କଷ୍ଟରେ ଯାହା ମିଳୁଛି ତାହାର ଦାମ୍ ପୁଣି ନ କହିବା ଭଲ । ପୂର୍ବରୁ ଯେଉଁ ମାଟିର ଦର ଟ୍ରାକ୍ଟର ଟ୍ରିପ ପ୍ରତି 200 ଟଙ୍କାରୁ 400 ଟଙ୍କା ଥିଲା ଏବେ ତାହା ଟ୍ରାକ୍ଟର ଟ୍ରିପ ପ୍ରତି ସାଢେ 3 ହାଜରରୁ 4 ହଜାର ଟଙ୍କା ହୋଇଗଲାଣି । ସେପଟେ ମାଟି ଦୀପ ସେତିକି ସୁନ୍ଦର ବି ଦିଶୁ ନାହିଁ । ତେଣୁ ଗ୍ରାହକମାନେ କୋଲକାତା ଦୀପକୁ କିଣିବାକୁ ବେଶ ଆଗ୍ରହ କରୁଛନ୍ତି । ତାହାର ଦର ଦେଶୀ ଦୀପ ଠାରୁ ବହୁ କମ୍ ଏବଂ ବେଶ ସୁନ୍ଦର ଦେଖିବାକୁ । ଯାହାକି ଦେଶୀ ଦୀପର ଚାହିଦା କମିବାର ଅନ୍ୟ ଏକ କାରଣ। କୋଲକାତାର ମାଟି ଦୀପକୁ ପ୍ରସ୍ତୁତ କରିବା ପାଇଁ ବେଶ କମ୍ ଖର୍ଚ୍ଚ ହୋଇଥାଏ । ସେଥିପାଇଁ ଏହାର ଦର କମ୍ ରହିଥାଏ ।”
