କଂଗ୍ରେସର ନୂଆପଡା ଉପନିର୍ବାଚନ ବିଧାୟକ ପ୍ରାର୍ଥୀ ଘାସିରାମ ମାଝୀଙ୍କ ପ୍ରାର୍ଥୀପତ୍ର ନାକଚ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଥିଲା ବିଜେପି । ନୂଆପଡ଼ା ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ନାମରେ ଥିବା ୨ଟି ଅଭିଯୋଗର ତଥ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ ହୋଇଥିବା ସତ୍ୟପାଠରେ ଉଲ୍ଲେଖ ନାହିଁ। ସେ ଉପନିର୍ବାଚନ ପାଇଁ ଦାଖଲ କରିଥିବା ସତ୍ୟପାଠରେ ୨ ମାମଲା ସମ୍ପର୍କରେ ଜାଣିଶୁଣି ଉଲ୍ଲେଖ କରିନାହାନ୍ତି। ଏହା ଜନପ୍ରତିନିଧି ଆଇନ-୧୯୫୧ର ଧାରା ୧୨୫-‘କ’ ଅନୁଯାୟୀ ଧର୍ତ୍ତବ୍ୟ ଅପରାଧ। ତେଣୁ ଆଇନ ଅନୁଯାୟୀ କଠୋର ଦଣ୍ଡବିଧାନ ସହ ତାଙ୍କ ନାମାଙ୍କନପତ୍ର ନାକଚ ହେବା ଉଚିତ ବୋଲି ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଭାଜପା ପକ୍ଷରୁ ଦାବି କରାଯାଇଛି।
ସାଧାରଣ ନିର୍ବାଚନ-୨୦୨୪ରେ ଦୁଇଟି ଅଭିଯୋଗ ୧୪୬/୨୦୨୨ ଏବଂ ୧୦/୨୦୧୮ ସଂପର୍କରେ ଶ୍ରୀ ମାଝୀ ନିର୍ବାଚନ ଆୟୋଗଙ୍କ ନିକଟରେ ଉଲ୍ଲେଖ କରିଥିଲେ, ଯାହାକି ବର୍ତମାନ ସୁଦ୍ଧା ମାନ୍ୟବର ଏସ୍ଡିଜେଏମ୍ କୋର୍ଟରେ ବିଚାରଧ୍ଵନ ଅଛି। ମାତ୍ର ଚଳିତ ଉପନିର୍ବାଚନ ପାଇଁ ଦାଖଲ କରିଥିବା ସତ୍ୟପାଠରେ କଂଗ୍ରେସ ପ୍ରାର୍ଥୀ ଶ୍ରୀ ମାଝୀ ଭକ୍ତ ଦୁଇଟି ମାମଲା ସଂପର୍କରେ ଜାଣିଶୁଣି ଉଲ୍ଲେଖ କରିନାହାନ୍ତି।ଘାସିରାମ ମାଝୀ ୨୦୨୪ ମସିହା ନିର୍ବାଚନ ବେଳେ ଦେଇଥିବା ସତ୍ୟପାଠ ଏବଂ ୨୦୨୫ ରେ ଦେଇଥିବା ସତ୍ୟପାଠରେ ତାଙ୍କ ବିରୁଦ୍ଧରେ ଥିବା ଅଭିଯୋଗ ବିଷୟରେ କିଛି ସୂଚନା ଦେଇନାହାନ୍ତି। ଜାଣିଶୁଣି ଉଭୟ କେସରୁ ନିଜକୁ ଦୂରେଇ ରଖିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।
