ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗ, ଇନ୍ସପେକ୍ଟର ଗିରଫ

ରାଜଧାନୀରେ ଆଇଆଇସିଙ୍କୁ ମହିଳା ଥାନା ପୁଲିସ୍‌ ଗିରଫ କରିଛି। ମହିଳା ସବ୍ ଇନ୍ସପେକ୍ଟରଙ୍କ ଅଭିଯୋଗ ପରେ ଆଇଆଇସିଙ୍କୁ ଗିରଫ କରାଯାଇଛି। ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରାଯାଇଛି।ଅଭିଯୁକ୍ତଙ୍କ ନାମ ଯଶୋବନ୍ତ ଆଚାର୍ଯ୍ୟ ବୋଲି ଚିହ୍ନଟ କରାଯାଇଛି। ଯିଏକି ୨୦୧୭ରେ ରାଜ୍ୟ ପୋଲିସରେ ଯୋଗ ଦେଇଥିଲେ। ତାଙ୍କୁ ସମ୍ପ୍ରତି ଇନ୍ସପେକ୍ଟର ଇନଚାର୍ଜ (ଆଇଆଇସି) ପଦବୀକୁ ପଦୋନ୍ନତି ଦିଆଯାଇ କଳାହାଣ୍ଡିରେ ନିଯୁକ୍ତି ଦିଆଯାଇଥିଲା। ସୂଚନାମୁତାବକ ଯଶୋବନ୍ତ ଗତ ପ୍ରାୟ ସାତ ବର୍ଷ ଧରି ମହିଳା ଏସଆଇଙ୍କ ସହିତ ଲିଭ୍-ଇନ୍ ସମ୍ପର୍କରେ ଥିଲେ। ସେ ଗଂଜାମ, ଗଜପତି ଏବଂ ଭୁବନେଶ୍ୱରରେ ପୋଷ୍ଟିଂ ସମୟରେ ମହିଳାଙ୍କୁ ଯୌନ ଶୋଷଣ କରିଆସୁଥିଲେ। ଏପରିକି ସେ ଗର୍ଭବତୀ ହେବା ପରେ ଯଶୋବନ୍ତ ତାଙ୍କୁ ଗର୍ଭପାତ କରିବାକୁ ବାଧ୍ୟ ମଧ୍ୟ କରିଥିଲେ।

ପରବର୍ତ୍ତୀ ସମୟରେ ଯଶୋବନ୍ତ ବିବାହିତ ଏବଂ ତାଙ୍କର ସ୍ତ୍ରୀ ଓ ଏକ ପୁଅ ମଧ୍ୟ ଅଛି ବୋଲି ଜାଣିବାକୁ ପାଇଥିଲେ ମହିଳା ଏସଆଇ। ଯାହା ପରେ ସେ ରାଜଧାନୀର ମହିଳା ଥାନାରେ ଅଭିଯୋଗ କରିଥିଲେ। ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଇ ମହିଳା ଥାନା ପକ୍ଷରୁ ଯଶୋବନ୍ତଙ୍କୁ ଗିରଫ କରାଯାଇଛି। ତେବେ ଏନେଇ ଅଧିକ ତଦନ୍ତ ଜାରି ରହିଛି।

ଅଧିକ ପଢନ୍ତୁ

Odisha Darpan Digital