ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚ !ଷ୍ଟାଡିୟମ ଭିତରକୁ ପାଣି ବୋତଲ, କଏନ, କଲମ ମନା

ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଏବଂ ସାଉଥ୍‌ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍‌ ଅନୁଷ୍ଠିତ ହେବ। ଏଥିପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ ଦ୍ୱୈତନଗରୀ କଟକ ଓ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।ସୁରକ୍ଷା ବ୍ୟବସ୍ଥାରେ ମୋଟ ୪୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ । ଏଥର ଦଳାଚକଟା ନିୟନ୍ତ୍ରଣ ପାଇଁ ଜିକ୍ଜାକ୍ ଶୈଳୀରେ ବ୍ୟାରିକେଡ୍ ପ୍ରସ୍ତୁତ କରାଯାଉଥିବା ବେଳେ ଦ ୟୁନିଭର୍ସ ନିକଟରୁ ଧାଡ଼ି ଆରମ୍ଭ ହେବ । ୫ଟି କାଉଣ୍ଟରରେ ଟିକେଟ ବିକ୍ରି ହେବ ।

ଆସନ୍ତା ୩ ଓ ୪ ତାରିଖରେ ଓସିଏ ସହିତ ଅନୁବନ୍ଧିତ ସଂସ୍ଥାକୁ ୧୦ ହଜାର ଟିକେଟ ବିକ୍ରି କରାଯିବାକୁ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ୫ ତାରିଖ ଦିନ ୧୦ଟାରୁ କାଉଣ୍ଟରରେ ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ ବିକ୍ରି କରାଯିବ । ଏଥିପାଇଁ କମିଶନରେଟ୍ ପୁଲିସ ୪ ତାରିଖ ସନ୍ଧ୍ୟାରୁ ସେଠାରେ ଫୋର୍ସ ମୁତୟନ କରିବାକୁ ନିଷ୍ପତ୍ତି ନେଇଛି । ମୋଟ ୪୦ ପ୍ଲାଟୁନ ଫୋର୍ସ ନିୟୋଜିତ ହେବାକୁ ଥିବା ବେଳେ ପ୍ରତି ସିଫ୍ଟରେ ୨୦ ପ୍ଲାଟୁନ ଫୋର୍ସ ରହିବେ । ୬ଜଣ ଏଡିସିପି, ୧୫ ଏସିପି, ୪୦ ଇନ୍ସପେକ୍ଟର, ଏସଆଇ ଓ ଏଏସଆଇ ୧୫୦ ଜଣ ନିୟୋଜିତ ହେବେ । ଭୁବନେଶ୍ୱରରେ ଥିବା ସମସ୍ତ ପୁରୁଣା ଅଫିସର ଡ୍ୟୁଟିରେ ନିୟୋଜିତ କରାଯିବ । ଏଥିରେ ଏସିପି ଓ ଆଇଆଇସି ସ୍ତରର ଅଫିସର ରହିବେ ।୯ ତାରିଖ ପୂର୍ବାହ୍ନ ୧୦ଟା ସମୟରେ ଖେଳାଳିମାନେ ପୁଣି କଟକ ଅଭିମୁଖେ ବାହାରିବେ। ସେମାନେ ଯିବାଆସିବା ସମୟରେ ସମସ୍ତ ଛକରେ ଲୋକଙ୍କ ଯାତାୟାତକୁ ରୋକାଯିବ। ରାସ୍ତାର ଦୁଇପାର୍ଶ୍ୱରେ ପୋଲିସ ମୁତୟନ ରହିବେ। ଯାତାୟାତରେ ଯେପରି କିଛି ଅସୁବିଧା ନ ହେବ, ବିଶେଷକରି ବିମାନବନ୍ଦର, ମେ ଫେୟାର ହୋଟେଲ, ଫ୍ୟାନ୍‌ ଜୋନ ଏବଂ ଷ୍ଟାଡିୟମରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଖେଳାଳିଙ୍କ ସୁରକ୍ଷା ପାଇଁ ୩୦ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ ହେବେ। ଷ୍ଟାଡିୟମ ଭିତରକୁ ପାଣି ବୋତଲ, କଏନ, କଲମ ଏବଂ ଅନ୍ୟାନ୍ୟ ସାମଗ୍ରୀ ନେବାକୁ ବାରଣ କରାଯାଇଛି। ଖେଳାଳିଙ୍କ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ଦାୟିତ୍ୱ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ ତଦାରଖ କରୁଛନ୍ତି।

ଅଧିକ ପଢନ୍ତୁ