ଭିବି-ଜି ରାମ-ଜି ବିଲ୍‌କୁ ନେଇ କେନ୍ଦ୍ର ସରକାର ଉପରେ ବର୍ଷିଲେ ସୋନିଆ ଗାନ୍ଧୀ

ମନରେଗା ଯୋଜନାର ନାମ ପରିବର୍ତ୍ତନ କରି ‘ବିକଶିତ ଭାରତ ଜି-ରାମ ଜି’ (VB-G RAM-G) କରିବା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ । ମୋଦୀ ସରକାର ମନରେଗା ଉପରେ ବୁଲଡୋଜର ଚଲାଇ ଗରିବଙ୍କ ସ୍ୱାର୍ଥ ଉପରେ ଆକ୍ରମଣ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ସରକାର ଭୂମିଗତ ବାସ୍ତବତାଠାରୁ ଦୂରରେ ଦିଲ୍ଲୀରେ ବସି କିଏ ନିଯୁକ୍ତି ପାଇବ, କେତେ, କେଉଁଠି ଏବଂ କେଉଁ ଢଙ୍ଗରେ ନିଯୁକ୍ତି ପାଇବ ତାହା ସ୍ଥିର କରିବେ ।ସୋନିଆ ଗାନ୍ଧୀ କହିଛନ୍ତି ଯେ, “ମୋତେ ଏବେ ବି ମନେ ଅଛି, ୨୦ ବର୍ଷ ପୂର୍ବେ, ଯେତେବେଳେ ଡକ୍ଟର ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିଲେ, ସେତେବେଳେ ସଂସଦରେ ମନରେଗା ଆଇନ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା । ଏହା ଏତେ କ୍ରାନ୍ତିକାରୀ ପଦକ୍ଷେପ ଥିଲା ଯେ କୋଟି କୋଟି ଗ୍ରାମୀଣ ପରିବାର ଏଥିରୁ ଉପକୃତ ହୋଇଥିଲେ । ଏହା ବିଶେଷକରି ବଞ୍ଚିତ, ଶୋଷିତ, ଗରିବ ଏବଂ ଅତ୍ୟନ୍ତ ଗରିବ ଲୋକଙ୍କ ପାଇଁ ଜୀବୀକା ନିର୍ବାହର ଏକ ଉତ୍ସ ପାଲଟିଥିଲା । ନିଯୁକ୍ତି ପାଇଁ ନିଜ ଜମି, ଗାଁ, ଘର ଏବଂ ପରିବାରରୁ ସ୍ଥାନାନ୍ତର ବନ୍ଦ କରାଯାଇଥିଲା । ନିଯୁକ୍ତିର ଆଇନଗତ ଅଧିକାର ଦିଆଯାଇଥିଲା ଏବଂ ଗ୍ରାମ ପଞ୍ଚାୟତଗୁଡ଼ିକୁ ସଶକ୍ତ କରାଯାଇଥିଲା । ମନରେଗା ମାଧ୍ୟମରେ, ମହାତ୍ମା ଗାନ୍ଧୀଙ୍କ ଗ୍ରାମ ସ୍ୱରାଜ ସ୍ୱପ୍ନର ଭାରତ ଆଡ଼କୁ ଏକ ଦୃଢ଼ ପଦକ୍ଷେପ ନିଆଯାଇଥିଲା।”ସୋନିଆ ଅଭିଯୋଗ କରିଛନ୍ତି ଯେ ଗତ ୧୧ ବର୍ଷ ମଧ୍ୟରେ ମୋଦୀ ସରକାର ମନରେଗାକୁ ଦୁର୍ବଳ କରିବାକୁ ସବୁ ପ୍ରକାର ଚେଷ୍ଟା କରିଛନ୍ତି । କୋଭିଡ ସମୟରେ ଏହି ଯୋଜନା ଗରିବଙ୍କ ପାଇଁ ସଞ୍ଜୀବନୀ ସାବ୍ୟସ୍ତ ହୋଇଥିଲା, କିନ୍ତୁ ଏବେ ସରକାର ଏହାକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଛନ୍ତି । ବିନା କୌଣସି ଆଲୋଚନା ବା ବିରୋଧୀଙ୍କୁ ନ ଜଣାଇ ଯୋଜନାରୁ ମହାତ୍ମା ଗାନ୍ଧୀଙ୍କ ନାମ ହଟାଇ ଦିଆଯାଇଛି ।

ଅଧିକ ପଢନ୍ତୁ