ପ୍ରେସ ଆଣ୍ଡ ମିଡିଆ ୱେଲଫର ସଂଘର ସାଧାରଣ ଆଲୋଚନା ବୈଠକବୃତିଗତ ସାମ୍ବାଦିକ ସଦସ୍ୟଙ୍କ କଲ୍ୟାଣ ପାଇଁ ସଂଘ ସର୍ବଦା ପ୍ରସ୍ତୁତ

ରାୟଗଡ଼ା,୪/୧(): ପ୍ରେସ ଆଣ୍ଡ ମିଡିଆ ୱେଲଫର ଆସୋସିଏସନ,ଓଡିଶା,ରାୟଗଡ଼ା ଜିଲ୍ଳାର ଏକ ସାଧାରଣ ବୈଠକ ତଥା ବନ୍ଧୁମିଳନ କାର୍ଯ୍ୟକ୍ରମ ରବିବାର ସ୍ଥାନୀୟ ହାଲୁଆ ତୋଟା ବଣଭୋଜି ସ୍ଥଳରେ ଅନୁଷ୍ଠିତ ହୋଇଯାଇଛି । ବୃତିଗତ ସାମ୍ବାଦିକ ସଦସ୍ୟଙ୍କ କଲ୍ୟାଣ ପାଇଁ ସଂଘ ସର୍ବଦା ସଚେତନ ଓ ପ୍ରସ୍ତୁତ ହୋଇରହିଛି । ସଦସ୍ୟମାନଙ୍କ ଅଧିକାର ସୁରକ୍ଷା,ସାମାଜିକ-ଆର୍ଥିକ ସହାୟତା,ପେଶାଗତ ସମସ୍ୟାର ସମାଧାନ ସହିତ ମର୍ଯ୍ୟାଦାପୂର୍ଣ୍ଣ ସାମ୍ବାଦିକତାକୁ ପ୍ରୋତ୍ସାହନ ଦେବା ଦିଗରେ ସଂଘ ନିରନ୍ତର କାର୍ଯ୍ୟରତ ରହିବ ବୋଲି ବୈଠକରେ ପରିଚାଳନା କମିଟି ସଦସ୍ୟମାନେ ବକ୍ତବ୍ୟ ରଖିଥିବା ବେଳେ ସଦସ୍ୟଙ୍କ ସୁଖ-ଦୁଃଖରେ ପାଖେ ଥାଇ,ସହଯୋଗ ଓ ସମର୍ଥନ ଯୋଗାଇବା ହେଉଛି ସଂଘର ପ୍ରମୁଖ ଦାୟିତ୍ୱ ଓ କର୍ତବ୍ୟ ବୋଲି ପରିଚାଳନା କମିଟି ପକ୍ଷରୁ କୁହାଯାଇଥିଲା । ସେହିପରି ସଂଘର ସୁଚିନ୍ତନ ବିଚାରଧାରାକୁ ଅନୁପ୍ରାଣିତ ହୋଇ ଜିଲ୍ଳାର ବିଭିନ୍ନ ବ୍ଳକରୁ ବହୁ ବୃତିଗତ ସାମ୍ବାଦିକମାନେ ଯୋଗ ଦେଇ ସଂଘର ଆଭିମୁଖ୍ୟ ଓ ଉଦ୍ଦେଶ୍ୟକୁ ନେଇ ନିଜର ମତାମତ ଉପସ୍ଥାପନା କରିଥିଲେ । ସାମ୍ବାଦିକ ସଦସ୍ୟମାନଙ୍କ ଆର୍ଥିକ ଓ ସାମାଜିକ ସୁରକ୍ଷା ପାଇଁ ଗୋଷ୍ଠୀ ବୀମା,ସ୍ୱାସ୍ଥ୍ୟ ସହାୟତା,ଆପତ୍କାଳନୀ ତହବିଲ,ପାରିବାରିକ ସହଯୋଗ ଭଳି ବ୍ୟବସ୍ଥାକୁ ଶକ୍ତ କରିବା ଦିଗରେ ସଂଘ ସର୍ବଦା ପ୍ରୟାସରତ । ଅସୁସ୍ଥତା,ଦୁର୍ଘଟଣା କିମ୍ବା ଅକାଳ ଦେହାନ୍ତ ଭଳି ଦୁଃଖଦ ପରିସ୍ଥିତିରେ ପରିବାରକୁ ସହାୟତା ଯୋଗାଇବା ସଂଘର ମାନବିକ ଦାୟିତ୍ୱ ବୋଲି ବରିଷ୍ଠ ସଦସ୍ୟମାନେ ବକ୍ତବ୍ୟ ରଖିଥିଲେ । ସେହିପରି ଯୁବ ସାମ୍ବାଦିକମାନଙ୍କୁ ଉତ୍ସାହିତ କରି ସଠିକ୍‌,ସମତୁଳିତ ଓ ଦାୟିତ୍ୱଶୀଳ ସାମ୍ବାଦିକତାର ପଥରେ ଆଗେଇ ନେବା ମଧ୍ୟ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ ରହିଛି ବୋଲି ବୈଠକରେ ବରିଷ୍ଠ ସଦସ୍ୟମାନେ ମତ ରଖିଥିଲେ । ପ୍ରେସ ଆଣ୍ଡ ମିଡିଆ ୱେଲଫେୟାର ଆସୋସିଏସନର ଆଗାମୀ ଭବିଷ୍ୟତ ସାମାଜିକ କାର୍ଯ୍ୟକ୍ରମ ଉପରେ ବିଶେଷ ଆଲୋଚନା ହୋଇଥିବା ବେଳେ ଜିଲ୍ଳାର ୬ଟି ବ୍ଳକରେ ସଂଘ କାର୍ଯ୍ୟକ୍ରମ ବୃଦ୍ଧି କରିବା ପାଇଁ ୬ଜଣ ବ୍ଳକସ୍ତରୀୟ ସାମ୍ବାଦିକଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଶେଷରେ ସମସ୍ତ ସଦସ୍ୟଙ୍କ ଏକତା,ଭାଇଚାରା ଓ ସମନ୍ୱୟକୁ ମଜବୁତ କରି ସାମ୍ବାଦିକ ସମାଜର ମର୍ଯ୍ୟାଦା ବଢାଇବା ସହ ଲୋକତନ୍ତ୍ରର ଚତୁର୍ଥ ସ୍ତମ୍ଭକୁ ସଶକ୍ତି କରିବା ପାଇଁ ସଂଘ ସର୍ବଦା ଦୃଢ ସଙ୍କଳ୍ପବଦ୍ଧ ରହିଛି ବୋଲି ପରିଚାଳନା କମିଟି ସଦସ୍ୟମାନେ ବକ୍ତବ୍ୟ ରଖିଥିଲେ । ଆଜିର ଏହି କାର୍ଯ୍ୟକ୍ରମଟି ବରିଷ୍ଠ ସାମ୍ବାଦିକ ତଥା କମିଟି ସଦସ୍ୟ ଶିବାଜୀ ଦାସ,ଆଶିଷ ରଂଜନ ପଣ୍ଡା,ସୁଶାନ୍ତ ପ୍ରଧାନ,ଧରଣୀଧର ପଟ୍ଟନାୟକ,ସୁରେଶ ଦାସ,ସଂଗ୍ରାମ ପଟ୍ଟନାୟକ ଓ ଅନ୍ୟମାନଙ୍କ ସହଯୋଗରେ ପରିଚାଳନା ହୋଇଥିବା ବେଳେ ଅମୂଲ୍ୟରତ୍ନ ସାହୁ,ଗୋପାଳ ଅଧିକାରୀ ପ୍ରଶାନ୍ତ ପାଳ,ଶିବପ୍ରସାଦ ଦୋରା,ଶିବ ନାରାୟଣ ଗଉଡ,ବି.ଭେଙ୍କେଟ ରାମଣା,ୱାଇ.ଦାମୋଦାର ରାଓ,ମୃତ୍ୟୁଂଜୟ ନନ୍ଦ,ତୁଷାର ରଂଜନ ସାହୁ,ସନ୍ତୋଷ ପାଣିଗ୍ରାହୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

ଅଧିକ ପଢନ୍ତୁ