ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ଏକ ଏପରି ସମସ୍ୟା ପାଲଟିଛି, ଯାହା ପ୍ରତିବର୍ଷ ଶୀତଦିନ ଆସିଲେ ଭୟଙ୍କର ରୂପ ଧାରଣ କରେ । ଚିନ୍ତାରେ ରାଜଧାନୀବାସୀ। ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ପବନରେ ବହୁଛି ବିଷ। ଅକ୍ଟୋବର ମାସରୁ ଆରମ୍ଭ ହୋଇଥିବା ଏହି ‘ଗ୍ୟାସ୍ ଚାମ୍ବର’ ସ୍ଥିତି ଜାନୁଆରୀ ମାସ ଶେଷ ହେବାକୁ ଆସିଲେ ମଧ୍ୟ ନିୟନ୍ତ୍ରଣକୁ ଆସୁନାହିଁ । ଜାନୁଆରୀ ୧୯ ଆଜି ସକାଳେ ଦିଲ୍ଲୀର ଅନେକ ଅଞ୍ଚଳରେ AQI ୪୧୮ ରୁ ୬୬୫ ପର୍ଯ୍ୟନ୍ତ ରେକର୍ଡ କରାଯାଇଛି, ସେହିପରି ଆନନ୍ଦ ବିହାର ୪୮୯ ଏବଂ ଅଶୋକ ବିହାର ୪୬୩ ରେକର୍ଡ କରାଯାଇଛି । ଅକ୍ଟୋବର ୨୦୨୫ରୁ ପ୍ରଦୂଷଣ ବୃଦ୍ଧି ପାଇବା ଆରମ୍ଭ କଲା । ଏହା ନଭେମ୍ବରରେ ଶୀର୍ଷରେ ପହଞ୍ଚିଥିଲା, AQI 400-୫୦୦ ଉପରେ ଥିଲା । ଡିସେମ୍ବରରେ ଏହା ସାମାନ୍ୟ ହ୍ରାସ ପାଇଥିଲା । ବର୍ଦ୍ଧିତ ପବନ ବେଗ ଯୋଗୁଁ ପ୍ରଦୂଷଣ ସ୍ତରରେ ସାମାନ୍ୟ ଉନ୍ନତି ଘଟିଥିଲେ ମଧ୍ୟ, ଦିଲ୍ଲୀର ବାୟୁମଣ୍ଡଳ ସମ୍ପୂର୍ଣ୍ଣ ସଫା ହେଉନାହିଁ।ଅକ୍ଟୋବରରୁ ଜାନୁଆରୀ ପର୍ଯ୍ୟନ୍ତ ପ୍ରଦୂଷଣ ନିୟନ୍ତ୍ରଣ ନହେବାର ମୁଖ୍ୟ କାରଣ ହେଉଛି ସରକାରୀ ଯୋଜନାର ଉଚିତ୍ ରୂପାୟନର ଅଭାବ ଏବଂ ପ୍ରାକୃତିକ ପରିବେଶର ସହଯୋଗ ନମିଳିବା। କେବଳ ଗାଡ଼ି ବନ୍ଦ କରିବା କିମ୍ବା ନିର୍ମାଣ କାର୍ଯ୍ୟ ବନ୍ଦ କରିବା ସ୍ଥାୟୀ ସମାଧାନ ନୁହେଁ। ଏଥିପାଇଁ ସାର୍ବଜନୀନ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବା, ସବୁଜ ବଳୟ ବୃଦ୍ଧି କରିବା ଏବଂ ଚାଷୀମାନଙ୍କୁ ନଡ଼ା ପୋଡ଼ିର ବିକଳ୍ପ ସୁବିଧା ଯୋଗାଇଦେବା ଜରୁରୀ।
