ଡିଜିଟାଲ ଆରେଷ୍ଟକୁ ଡକାୟତି କହିଲେ ସର୍ବୋଚ୍ଚ ନ୍ୟାୟାଳୟ। ଡିଜିଟାଲ ଆରେଷ୍ଟ୍ ଜରିଆରେ ପୀଡ଼ିତମାନେ ୫୪ ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ହରାଇବା ଘଟଣା ଡକାୟତିଠାରୁ କିଛି କମ୍ ନୁହେଁ। ଏଭଳି ଅପରାଧକୁ ରୋକିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ, ବ୍ୟାଙ୍କ, ଦୂର ସଂଚାର ବିଭାଗ ଓ ଅନ୍ୟ ଅଂଶୀଦାରମାନଙ୍କ ପରାମର୍ଶରେ ଏକ ଏସ୍ଓପି ପ୍ରସ୍ତୁତ କରିବା ଲାଗି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚି ଓ ଜଷ୍ଟିସ୍ ଏନଭି ଅଞ୍ଜରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ଡିଜିଟାଲ୍ ଆରେଷ୍ଟ୍ ରେ ଯେତିକି ଅର୍ଥ ଲୋକେ ହରାଇଛନ୍ତି ତାହା କେତେକ ଛୋଟ ରାଜ୍ୟର ବଜେଟ୍ ର ଆକାରଠାରୁ ମଧ୍ୟ ଅଧିକ। ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ଟେଲିକମ୍ ବିଭାଗ ଦ୍ବାରା ପ୍ରସ୍ତୁତ ଏସ୍ଓପିଗୁଡ଼ିକୁ ବିଚାର କରି ଏଭଳି ଅପରାଧର କଡ଼ା ମୁକାବିଲା ପାଇଁ ଏକ ଚିଠା ଏମ୍ଓୟୁ ୪ ସପ୍ତାହ ମଧ୍ୟରେ ପ୍ରସ୍ତୁତ କରି ଆସିବା ଲାଗି ଗୃହ ମନ୍ତ୍ରାଳୟକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ କହିଥିଲେ ଯେ ପୂର୍ବରୁ ରିଜର୍ଭ ବ୍ୟାଙ୍କ ଏ ନେଇ ଏକ ଏସ୍ଓପି ପ୍ରସ୍ତୁତ କରିଛନ୍ତି।ଏଥିରେ ସାଇବର ଠକେଇକୁ ରୋକିବା ଲାଗି ସାମୟିକ ଭାବେ ଡେବିଟ୍ କାର୍ଡକୁ ବ୍ଲକ୍ କରିବା ବ୍ୟବସ୍ଥା ରହିଛି। ତେଣୁ ରିଜର୍ଭ ବ୍ୟାଙ୍କର ଏସ୍ଓପିକୁ ଅନୁଧ୍ୟାନ କରିବା ପାଇଁ ଗୃହ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ଡିଜିଟାଲ୍ ଆରେଷ୍ଟ୍ ମାମଲାଗୁଡ଼ିକୁ ଚିହ୍ନଟ କରିବା ଲାଗି ସୁପ୍ରିମକୋର୍ଟ ସିବିଆଇକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।
