ଆମେରିକୀୟ ସେକ୍ସ ଅଫେଣ୍ଡର ଜେଫ୍ରି ଏପ୍ଷ୍ଟିନ୍ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଦୋମୁହଁା କହିଥିଲେ। ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆଣିଥିବା ଅଭିଯୋଗ ଉପରେ ଜବାବ ରଖିବାକୁ ଯାଇ ପୁରୀ ବୁଧବାର ଏହି ସୂଚନା ଦେଇଛନ୍ତି। ବିନା ଆଧାରରେ ଅଭିଯୋଗ ଲଗାଇବା ରାହୁଲଙ୍କ ଅଭ୍ୟାସ। ମନ୍ତ୍ରୀ କହିଛନ୍ତି କି, ‘ରାଜନୀତିରେ ୨ ପ୍ରକାର ନେତା ଥାନ୍ତି। ଜଣେ ଦାୟିତ୍ବ ପାଳନ କରି ସମାଜର ସେବା କରନ୍ତି ଏବଂ ଦେଶ ବଦଳାଇବା କାମ କରନ୍ତି। ଆଉ କିଛି ନେତା ଥାନ୍ତି ଯେଉଁମାନେ ବେଳେବେଳେ ଦେଶକୁ ଆସନ୍ତି। ବିଦେଶ ଯାତ୍ରା କରନ୍ତି, ଯେବେ ସଂସଦ ଆସନ୍ତି ଅନ୍ୟ କାହା କଥା ନ ଶୁଣି ବାହାରକୁ ଚାଲିଯାନ୍ତି। ଆଜି ବି ଭାଷଣ ଦେବା ପରେ ସଂସଦରୁ ବାହାରକୁ ଚାଲିଯାଇଥିଲେ।’ ଏକ ଖବରଦାତା ସମ୍ମିଳନୀରେ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ପୁରୀ କହିଛନ୍ତି, ରାହୁଲ ତାଙ୍କୁ ପରୋକ୍ଷରେ ଟାର୍ଗେଟ କରୁଛନ୍ତି। କିନ୍ତୁ ଏପ୍ଷ୍ଟିନ୍ଙ୍କ ଅପରାଧ ସହ ତାଙ୍କର କୌଣସି ସମ୍ପୃକ୍ତି ନାହିଁ।ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି କି, ସେ ଜେଫରୀ ଏପଷ୍ଟିନଙ୍କ ସହ ସାକ୍ଷାତ କରିଥିଲେ। ତେବେ ଏହି ସାକ୍ଷାତ ଅନ୍ତର୍ଜାତୀୟ ପିସ୍ ଇନଷ୍ଟିଚ୍ୟୁଟ(ଆଇପିଆଇ)ର ଏକ ପ୍ରତିନିଧୀମଣ୍ଡଳର ଅଂଶ ଥିଲା। ୨୦୦୯ରେ ଏହା ଘଟିଥିଲା। ସେବେ ସେ ନ୍ୟୁୟର୍କରେ ଭାରତର ରାଷ୍ଟ୍ରଦୂତ ଥିଲେ। ସେ କହିଛନ୍ତି କି, ‘ଏହି ସମ୍ପୂର୍ଣ୍ଣ ତଥ୍ୟ ପବ୍ଲିକ୍ ଡୋମେନରେ ଅଛି। ପ୍ରାୟ ୩୦ ଲକ୍ଷ ଇମେଲ୍ ସାର୍ବଜନୀନ ଅଛି। ୮ ବର୍ଷ ପରେ ମୁଁ ମନ୍ତ୍ରୀ ହେଲି। ୮ ବର୍ଷ ମଧ୍ୟରେ ୩-୪ ଥର ସାକ୍ଷାତ ସମ୍ପର୍କରେ ଉଲ୍ଲେଖ ରହିଛି।’ପ୍ରକାଶ ଯେ, ଆମେରିକା ପକ୍ଷରୁ ଜାରି କରାଯାଇଥିବା ଏପ୍ଷ୍ଟିନ୍ ଫାଇଲ୍ସରେ ପୁରୀଙ୍କ ନାମ ଥିବା ଦର୍ଶାଇ କଂଗ୍ରେସ ନେତା ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପୁରୀଙ୍କୁ ସମାଲୋଚନା କରିଥିଲେ।
