୩ ମାସରେ ସରିବ ପୂରା ପ୍ରକ୍ରିୟା ! ଚଳିତ ମାସ ଶେଷ ସୁଦ୍ଧା ଭୋଟର ମ୍ୟାପିଂ କାମ ସାରିବାକୁ ଲକ୍ଷ୍ୟ

ଓଡ଼ିଶାରେ ଭୋଟର ତାଲିକାର ହେବ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର୍) । ଏପ୍ରିଲରୁ ଏହି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଚଳିତ ମାସ ଶେଷ ସୁଦ୍ଧା ଭୋଟର ମ୍ୟାପିଂ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ୧୨ ରାଜ୍ୟରେ ଏସଆଇଆର୍ ପ୍ରକ୍ରିୟା ଚାଲିଥିବାବେଳେ ଓଡ଼ିଶାରେ ଏ ଦିଗରେ ପ୍ରକ୍ରିୟା ଆଗେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ।। ୨୦୦୨ରେ ଶେଷ ଥର ପାଇଁ ଓଡ଼ିଶାରେ ଏସଆଇଆର୍ କରାଯାଇଥିଲା । ୨୦୦୨ (ଏସଆଇଆର୍ ସମୟର) ଭୋଟର ତାଲିକା ଓ ୨୦୨୫ ତାଲିକାକୁ ସମ୍ମିଳିତ କରି ଭୋଟରଙ୍କୁ ମ୍ୟାପିଂ କରାଯାଉଛି ।ପ୍ରତି ଭୋଟରଙ୍କୁ ନେଇ ଦୁଇଟି ଫର୍ମ ପୂରଣ କରାଯିବ । ଗୋଟିଏ ଫର୍ମ ଭୋଟର ରଖିବେ, ଅନ୍ୟଟି ବିଏଲଓ ନେବେ । ଏହି ଫର୍ମରେ ଭୋଟରଙ୍କ ନୂଆ ରଙ୍ଗୀନ ଫଟୋ ଲଗାଯିବ । ଫର୍ମରେ ଭୋଟରଙ୍କ ଏପିକ୍ ନମ୍ବର, ବାପାଙ୍କ ନାମ, ବୁଥ୍, ନିର୍ବାଚନମଣ୍ଡଳୀ ତଥ୍ୟ ରହିବ । ଏହି ପ୍ରକ୍ରିୟା ମାସେ ବ୍ୟାପୀ ଚାଲିବ । ଏହା ପରେ ବୁଥ୍ ୱାରି ଚିଠା ଭୋଟର ତାଲିକା ପ୍ରକାଶ ପାଇବ । ଏହି ତାଲିକା ବୁଥ୍ରୁ ନେଇ ୱେବସାଇଟ ପର୍ଯ୍ୟନ୍ତ ଉପଲବ୍ଧ ହେବ । ଏହା ଉପରେ ଆପତ୍ତି, ଅଭିଯୋଗ ଆହ୍ୱାନ କରାଯିବ| ମାସେ ବ୍ୟାପୀ ଏ ନେଇ ଶୁଣାଣି ଚାଲିବ । ଯିଏ ପ୍ରତ୍ୟକ୍ଷ ଭାବେ ନ ଆସିପାରିବେ, ତାଙ୍କ ପାଇଁ ଭର୍ଚୁଆଲ ଶୁଣାଣି ସୁବିଧା ରହିବ । ଏହାପରେ ଚୂଡ଼ାନ୍ତ ଭୋଟର ତାଲିକା ଜାରି ହେବ । ୩ ମାସରେ ପୂରା ଏସ୍ଆଇଆର ପ୍ରକ୍ରିୟା ସରିବ ।ଭୋଟର ତାଲିକା ମ୍ୟାପିଂରୁ ଏକାଧିକ ସ୍ଥାନରେ ଭୋଟର ଥିଲେ ଜଣାପଡ଼ିଯିବ । କେବଳ ଗୋଟିଏ ସ୍ଥାନରେ ହିଁ ଭୋଟର ହୋଇପାରିବେ । ତେବେ ଏହା ପୂର୍ବରୁ ରାଜ୍ୟରେ ୨୦୦୨ ଏସଆଇଆର୍ ସମୟର ଭୋଟର ତାଲିକା ଓ ୨୦୨୫ ଭୋଟର ତାଲିକାର ମେଳ (ମ୍ୟାପିଂ) ଜୋରସୋରରେ ଚାଲିଛି । ଏବେ ସୁଦ୍ଧା ୮୦% ମତଦାତାଙ୍କ ମ୍ୟାପିଂ ସରିଲାଣି ।

ଅଧିକ ପଢନ୍ତୁ