ଯାଜପୁର ରୋଡ ଥାନା ପୋଲିସ ନାବାଳିକା ଗର୍ଭପାତ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି। ଏହି ଘଟଣାରେ ନାବାଳିକାଙ୍କୁ ଗର୍ଭବତୀ କରିଥିବା କୋପଣ୍ଡ ଗ୍ରାମର ପଦ୍ମନାଭ ଶତପଥୀ(୭୦) ଓ ନର୍ସିଂହୋମର ମାଲିକ ବୀଣାପାଣି ସାହିର ମନୋଜ କୁମାର ନାୟକଙ୍କୁ ପୋଲିସ ଗିରଫ କରିଛି। ତେବେ ବ୍ୟାସନଗରର ୭୦ ବର୍ଷୀୟ ବୃଦ୍ଧଙ୍କ ନାଁରେ ନାବାଳିକା ଜଣକ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ ।ନାବାଳିକାକୁ ଗର୍ଭପାତ କରାଯାଇଥିବା ୨ ଦିନ ତଳେ ଅଭିଯୋଗ ହୋଇଥିଲା। ଦୁଷ୍କର୍ମ ପାଇଁ ଗତକାଲି ଯାଜପୁର ରୋଡ୍ ଥାନା ପୁଲିସ୍ ବୃଦ୍ଧଙ୍କୁ ଗିରଫ କରିଥିଲା। ପୋଲିସ ସୂଚନା ମୁତାବକ, ଯାଜପୁରରୋଡ଼ ଥାନା ଅଞ୍ଚଳରେ ଭଡା ଘରେ ରହୁଥିବା ଜଣେ ୧୬ ବର୍ଷୀୟ ନାବାଳିକା ଗର୍ଭବତୀ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଉକ୍ତ ନାବାଳିକାଙ୍କୁ ୭୦ ବର୍ଷୀୟ ବୃଦ୍ଧ ପଦ୍ମନାଭ ଶାରୀରିକ ସମ୍ପର୍କ ରଖି ୭ ମାସର ଗର୍ଭବତୀ କରିଥିଲେ।
ନାବାଳିକା ଜଣଙ୍କର ପେଟରେ ଯନ୍ତ୍ରଣା ହେବା ସହ ରକ୍ତସ୍ରାବ ହେବାରୁ ଚିକିତ୍ସା ପାଇଁ ଅଭିଯୁକ୍ତ ପଦ୍ମନାଭ ତାଙ୍କୁ ସ୍ଥାନୀୟ ଲକ୍ଷ୍ମୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ନାବାଳିକାଙ୍କ ଗର୍ଭପାତ କରିଥିବା ଅଭିଯୋଗ ହୋଇଥିଲା। ପୋଲିସ ଘଟଣାକୁ ଗୁରୁତ୍ୱ ଦେବାସହ ଅଧିକ ତଦନ୍ତ ଚଳାଇଥିବା ଓ ଫେରାର ଥିବା ଡାକ୍ତରଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ଆଇଆଇସି ସୂଚନା ଦେଇଛନ୍ତି।
