ଚଳିତ ବର୍ଷ ଏଲ୍ନିନୋ ଆହୁରି ଶକ୍ତିଶାଳୀ ହେବ ଏବଂ ଡିସେମ୍ବରରେ ଏହା ଚରମ ସ୍ତରରେ ପହଞ୍ଚିବ। ଏହା ୧୯୫୦ ପରଠାରୁ ଦେଖାଯାଇଥିବା ସବୁଠୁ ଶକ୍ତିଶାଳୀ ଏଲ୍ନିନୋ ମଧ୍ୟରୁ ଗୋଟିଏ ହୋଇପାରେ ବୋଲି ଜାତିସଂଘର ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲ୍ୟୁଏମ୍ଓ) ଗୁରୁବାର ଚେତାବନୀ ଦେଇଛି। ଚଳିତ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ କେନ୍ଦ୍ରୀୟ ଏବଂ ପୂର୍ବ କ୍ରାନ୍ତୀୟ ପ୍ରଶାନ୍ତ ମହାସାଗରର ତାପମାତ୍ରା ସ୍ୱାଭାବିକଠାରୁ ରେକର୍ଡ ୩.୭ ଡିଗ୍ରୀ ସେଲସିୟସ୍ ଅଧିକ ରହିବା ନେଇ ଆକଳନ କରାଯାଇଛି। ବୈଜ୍ଞାନିକମାନଙ୍କ ମତରେ, ଏହି ମହା-ଗରମ ପରିସ୍ଥିତି ଆସନ୍ତା ୨୦୨୭ ଫେବୃଆରୀ ମାସ ପର୍ଯ୍ୟନ୍ତ ସକ୍ରିୟ ରହିବ। ଏହି ପ୍ରକ୍ରିୟା ଯୋଗୁଁ ବିଶ୍ୱର କେତେକ ଅଞ୍ଚଳରେ ଭୟଙ୍କର ମରୁଡ଼ି ପରିସ୍ଥିତି ସୃଷ୍ଟି ହେଉଥିବା ବେଳେ ଅନ୍ୟ କେତେକ ସ୍ଥାନରେ ପ୍ରବଳ ବୃଷ୍ଟିପାତ ଓ ବନ୍ୟା ପରିସ୍ଥିତି ଦେଖାଦେବାର ଆଶଙ୍କା ରହିଛି। ଏଲ୍ନିନୋର ଶକ୍ତି ମାପିବା ପାଇଁ ବ୍ୟବହୃତ ‘ନିନୋ ୩.୪’ ଅଞ୍ଚଳର ସମୁଦ୍ରପୃଷ୍ଠ ତାପମାତ୍ରା ଜୁନ୍ରେ ସ୍ୱାଭାବିକଠାରୁ ୧.୬ ଡିଗ୍ରି ସେଲସିୟସ୍ ଅଧିକ ଥିଲା। ଅଗଷ୍ଟରେ ଏହା ୨.୫ ଡିଗ୍ରିକୁ ବଢ଼ିଥିଲା। ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଏହି ତାପମାତ୍ରା ସ୍ୱାଭାବିକଠାରୁ ପ୍ରାୟ ୩.୭ ଡିଗ୍ରି ଅଧିକ ହେବ ବୋଲି ଆକଳନ କରାଯାଇଛି।
