ସୁପରଷ୍ଟାର୍ ଥାଲାପତି ବିଜୟଙ୍କ ପରିବାରରେ ଝଡ଼ ସୃଷ୍ଟି ହୋଇଛି । ପୂର୍ବରୁ ଥାଲାପତିଙ୍କ ସିନେମା ‘ଜନ ନାୟାଗନ’ ଜାନୁଆରିରେ ରିଲିଜ୍ ହେବାର ଥିଲା କିନ୍ତୁ ବିବାଦ କାରଣରୁ ସିନେମାଟି ଅଧାରେ ଅଛି । ହେଲେ ଏବେ ଖବର ଆସୁଛି ଯେ ବିଜୟଙ୍କ ପତ୍ନୀ ତାଙ୍କଠାରୁ ଛାଡ଼ପତ୍ର ନେବା ପାଇଁ ଆବେଦନ କରିଛନ୍ତି । ୨୭ ବର୍ଷର ଲମ୍ବା ସଂପର୍କ ପରେ ବିଜୟଙ୍କଠାରୁ ଛାଡ଼ପତ୍ର ନେବାକୁ ଚାହୁଛନ୍ତି ପତ୍ନୀ ସଙ୍ଗୀତା । ପ୍ରକୃତରେ, ତାଙ୍କ ପତ୍ନୀ ସଙ୍ଗୀତା ସୋର୍ନାଲିଙ୍ଗମ ଅଭିନେତା ବିଜୟଙ୍କ ଉପରେ ଧୋକ୍କା-ପ୍ରତାରଣାର ଅଭିଯୋଗ ଆଣିଛନ୍ତି। ବିଜୟ ଏବଂ ସଙ୍ଗୀତା 1999 ରେ ବିବାହ କରିଥିଲେ। ତାଙ୍କର 27 ବର୍ଷ ଧରି ବୈବାହିକ ଜୀବନ ସେମାନଙ୍କର ଦୁଇଟି ସନ୍ତାନ ଅଛି। କିନ୍ତୁ ବର୍ତ୍ତମାନ, ସେମାନଙ୍କ ସମ୍ପର୍କ ଭାଙ୍ଗିବାକୁ ବସିଛି। ସଙ୍ଗୀତା ସୋର୍ନାଲିଙ୍ଗମ କାହା ନାଁ ନନେଇ କହିଛନ୍ତି ଯେ ବିଜୟଙ୍କ ଜଣେ ଅଭିନେତ୍ରୀଙ୍କ ସହିତ ଅନୈତିକ ସଂପର୍କ ଅଛି । ମିଡିଆ ରିପୋର୍ଟ ଅନୁସାରେ ସଙ୍ଗୀତା ଅଭିଯୋଗ କରିଛନ୍ତି ଯେ ବିଜୟ ୨୦୨୧ ଏପ୍ରିଲଠାରୁ ଜଣେ ଅଭିନେତ୍ରୀଙ୍କ ଏକ୍ସଟ୍ରା ମ୍ୟାରିଟାଲ୍ ଆଫାୟାରରେ ଅଛନ୍ତି । ସେ ଏନେଇ ଚେନ୍ନାଇର ଚେଙ୍ଗଲପଟୁ ଫ୍ୟାମିଲି କୋର୍ଟରେ ଆବେଦନ ମଧ୍ୟ କରିଛନ୍ତି । ରିପୋର୍ଟ ଅନୁଯାୟୀ, ସଙ୍ଗୀତା ଦାବି କରିଛନ୍ତି ଯେ ବିଜୟ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ସେ ଏହି ପରକୀୟା ପ୍ରୀତିକୁ ଶୀଘ୍ର ଶେଷ କରିଦେବେ କିନ୍ତୁ ସେ ଏପର୍ଯ୍ୟନ୍ତ ଅନୈତିକ ସଂପର୍କରୁ ବାହାରକୁ ଆସିନାହାନ୍ତି । ସ୍ବାମୀଙ୍କ ଆଚରଣ ଯୋଗୁଁ ସଙ୍ଗୀତା ମାନସିକ ଏବଂ ଭାବପ୍ରବଣ ଯନ୍ତ୍ରଣାରେ ପୀଡ଼ିତ ଅଛନ୍ତି ବୋଲି କହିଛନ୍ତି । ତେବେ ସଙ୍ଗୀତା ଉକ୍ତ ଅଭିନେତ୍ରୀଙ୍କ ନାଁ ଏଠାରେ ପ୍ରକାଶ କରିନାହାନ୍ତି । ସଙ୍ଗୀତା କହିଛନ୍ତି ସେ ନିଜେ ଏହି ମାମଲାକୁ ସମାଧାନ କରିବାକୁ ଚେଷ୍ଟା କରିଥିଲେ ଏବଂ ଏହି ଘଟଣାକୁ ଅପବାଦର ରୂପ ଦେବାକୁ ଚାହୁନଥିଲେ କିନ୍ତୁ ବିଜୟ ସୁଧୁରିବାର ନାଁ ନେଉନଥିଲେ ତେଣୁ ସେ ବାଧ୍ୟ ହୋଇ ସ୍ୱତନ୍ତ୍ର ବିବାହ ଆଇନ ଅନୁଯାୟୀ କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିଲେ ।
