ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ,ବଡ଼ଦାଣ୍ଡର ବଣ୍ଟା ହେବନି ରନ୍ଧାଖାଦ୍ୟ

ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ରଥଯାତ୍ରା ପାଇଁ ପ୍ରସ୍ତୁତ ହୋଇଛି ମାଷ୍ଟର ପ୍ଲାନ୍ । ରଥଯାତ୍ରା ସହ ଜଡ଼ିତ ସବୁ ବିଭାଗ ନିଜର କାର୍ଯ୍ୟ ଧାର୍ଯ୍ୟ ସମୟ ମଧ୍ୟରେ ସାରିବାକୁ ପରାମର୍ଶ ଦିଆଯାଇଛି । ଉଭୟ ସ୍ୱଳ୍ପ ମିଆଦୀ ଓ ଦୀର୍ଘ ମିଆଦି ଯୋଜନା କାର୍ଯ୍ୟକାରୀ କରିବାକୁ ସବୁ ବିଭାଗକୁ ଦିଆଯାଇଛି ନିର୍ଦ୍ଦେଶ । ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀ ପୁରୀ ଜିଲ୍ଲା ପ୍ରଶାସନର ରଥଯାତ୍ରା ପ୍ରସ୍ତୁତିକୁ ନେଇ ଏକ ସମୀକ୍ଷା ବୈଠକ କରିଛନ୍ତି । ଭକ୍ତଙ୍କ ଶୃଙ୍ଖଳିତ ଯାତାୟାତ, ଟ୍ରାଫିକ, ପାର୍କିଂ, ପର୍ଯ୍ୟାପ୍ତ ପାନୀୟ ଜଳ ଏବଂ ଶୌଚାଳୟ ବ୍ୟବସ୍ଥା, ସ୍ବଚ୍ଛତା ଉପରେ ଅଧିକ ଗୁରୁତ୍ଵ ଦେଇ କାର୍ଯ୍ୟ କରିବାକୁ ପୁରୀ ଜିଲ୍ଲା ପ୍ରଶାସନକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ରଥଯାତ୍ରାରେ ଶୃଙ୍ଖଳା ରକ୍ଷାପାଇଁ ଅନେକ ନୂଆ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ଗ୍ରହଣ କରାଯାଇଛି ।ଏହା ସହ ପୂର୍ବ ବର୍ଷର ତ୍ରୁଟି ବିଚ୍ୟୁତିକୁ ସୁଧାରିବାକୁ ଜିଲ୍ଲାପାଳଙ୍କ ପରାମର୍ଶ ରହିଛି । ରଥଯାତ୍ରା ସମୟରେ ପୁରୀକୁ ସ୍ବଛ ଓ ସୁନ୍ଦର ରଖିବା ସମସ୍ତଙ୍କ ସାମୁହିକ ଦାୟିତ୍ୱ । ସବୁ ବିଭାଗ ନିଜ ଦାୟିତ୍ୱ ଓ କର୍ତ୍ତବ୍ୟ ସେବା ମନୋଭାବ ନେଇ ଅନୂପାଳନ ପାଇଁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ । ବୈଠକରେ ଏସପି ପ୍ରତୀକ ସିଂହଙ୍କ ସବୁ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।ଉଲ୍ଲେଖଯୋଗ୍ୟ ଯେ, ଚଳିତବର୍ଷ ଜୁଲାଇ ୧୬ ତାରିଖରେ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ । ଏହି ରଥଯାତ୍ରାରେ ୧୦ଲକ୍ଷରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ସମାଗମ ହେବ ବୋଲି ଅନୁମାନ କରାଯାଉଥିବା ବେଳେ ଚଳିତ ବର୍ଷ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାରେ ଆୟୋଜନ ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି।

ଅଧିକ ପଢନ୍ତୁ