ବିଶିଷ୍ଟ କବି ଗିରିଜା କୁମାର ବଳୀୟାରସିଂହ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର । କବିତା ପୁସ୍ତକ ‘ପାଦପୂରଣ’ ପାଇଁ ୨୦୨୫ ମସିହା ନିମନ୍ତେ ସମ୍ମାନ ଜନକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ସେ ମନୋନୀତ ହୋଇଛନ୍ତି । ୨୦୨୦ ମସିହାରେ ପ୍ରକାଶିତ ଗିରିଜା କୁମାର ବଳିୟାରସିଂଙ୍କ କବିତା ସଂକଳନ ‘ପାଦପୂରଣ’ ପାଇଁ ସେ ଏହି ସମ୍ମାନ ପାଇବାକୁ ଯାଉଛନ୍ତି। କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଓଡ଼ିଆ, ହିନ୍ଦୀ, ବଙ୍ଗଳା, ତେଲୁଗୁ, ତାମିଲ, ମୈଥିଲି, କନ୍ନଡ଼, ଉର୍ଦ୍ଦୁ, କାଶ୍ମୀରୀ, ଇଂରାଜୀ ଆଦି ୨୪ଟି ଭାଷାରେ ଏହି ପୁରସ୍କାର ପ୍ରଦାନ କରାଯାଉଛି। ଏ ଖବର ପ୍ରଚାର ହେବା ପରେ ସାହିତ୍ୟିକ ମହଲରେ ବେଶ ଆନନ୍ଦ ପ୍ରକାଶ ପାଇଛି । ଗିରିଜାଙ୍କ ପାଖକୁ ଛୁଟିଛି ଶୁଭେଛାର ସୁଅ ।ଶ୍ରୀ ବଳୀୟାରସିଂହ ରାଜ୍ୟର ଜଣେ ଆଗଧାଡ଼ିର ବେଶ ଜଣାଶୁଣା କବି । ଜଣେ ଶବ୍ଦଭେଦୀ କାବ୍ୟପୁରୁଷ ଭାବରେ ସେ ଓଡ଼ିଶାର ସାରସ୍ୱତ ଜଗତରେ ସୁପରିଚିତ । “ଭାରତବର୍ଷ’ କାବ୍ୟକୃତି ପାଇଁ ୨୦୦୬ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ । ୧୯୭୬ରୁ ୨୦୨୪ ମସିହା ଯାଏଁ ପ୍ରାୟ ଅର୍ଦ୍ଧ ଶତାବ୍ଦୀର ଅବଧି ମଧ୍ୟରେ ସେ ଆମକୁ ଦେଇସାରିଛନ୍ତି ୧୫ଟି କାବ୍ୟକୃତି । ଓଡ଼ିଆ ସନେଟ୍ ସାହିତ୍ୟରେ ସେ ଏକ ଅଭିନବ ଧାରାପ୍ରବାହର ପ୍ରବର୍ତ୍ତକ । ତାଙ୍କର ବହୁ ରଚନା ପାଠକଙ୍କୁ ବେଶ ବିମୁଗ୍ଧ କରି ଆସିଛି । ତେବେ ପୁରସ୍କାର ଚୟନ ପାଇଁ ଜୁରି କମିଟି ପକ୍ଷରୁ ଜାନୁଆରି ମାସରୁ ମନୋନୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥର ଓଡ଼ିଆ ଭାଷା ପାଇଁ ଚୟନ କମିଟିରେ ବିଶିଷ୍ଟ ଲେଖିକା ଶ୍ରୀମତି ଗାୟତ୍ରୀ ସରାଫ, ଡ. ଜୟନ୍ତୀ ରଥ ଓ ବିଶିଷ୍ଟ ଲେଖକ ଶ୍ରୀ ଶ୍ୟାମା ପ୍ରସାଦ ଚୌଧୁରୀ ସାମିଲ ହୋଇଥିଲେ।
