ନୟାଗଡ଼ରେ ଷଷ୍ଠ ରାଜ୍ୟସ୍ତରୀୟ ନାଟ୍ୟ ମେଳା: ମଞ୍ଚସ୍ଥ ହେଲା ଭାବପୂର୍ଣ୍ଣ ନାଟକ ‘ବଧୂ ବିଦାୟ’

ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ନାଟ୍ୟଧାରା’ ପକ୍ଷରୁ ଆୟୋଜିତ ଷଷ୍ଠ ରାଜ୍ୟସ୍ତରୀୟ ନାଟ୍ୟ ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ଏକ ମର୍ମସ୍ପର୍ଶୀ ନାଟକ ‘ବଧୂ ବିଦାୟ’ ସ୍ଥାନୀୟ ପଠାଣି ସାମନ୍ତ ଅଡିଟୋରିୟମଠାରେ ସଫଳତାର ସହ ମଞ୍ଚସ୍ଥ ହୋଇଯାଇଛି। ଭୁବନେଶ୍ୱରର ବିଶିଷ୍ଟ ନାଟ୍ୟ ଅନୁଷ୍ଠାନ ‘ପଞ୍ଚଧ୍ୱନି ନାଟ୍ୟ ପରିଷଦ’ ଦ୍ୱାରା ପରିବେଷିତ ଏହି ନାଟକଟି ଦର୍ଶକଙ୍କ ମନକୁ ବେଶ୍ ଆନ୍ଦୋଳିତ କରିଥିଲା। ସାମାଜିକ ଚେତନାର ବାର୍ତ୍ତା
ନାଟକଟିର ମୂଳ କଥାବସ୍ତୁ ସମାଜରେ ଝିଅ ଓ ବୋହୂ ମଧ୍ୟରେ ଥିବା ପ୍ରଭେଦ ଏବଂ ମାନସିକତା ଉପରେ ପର୍ଯ୍ୟବେସିତ।

ନିଜ ଝିଅ ବିଦାୟ ବେଳେ ପରିବାର ଯେଉଁ କଷ୍ଟ ଅନୁଭବ କରେ, ସେହି ସମାନ ସ୍ନେହ ଓ ସମ୍ମାନ କାହିଁକି ଜଣେ ବୋହୂକୁ ମିଳେ ନାହିଁ—ଏହି ପ୍ରଶ୍ନକୁ ନାଟକ ମାଧ୍ୟମରେ ଅତି ଚମତ୍କାର ଭାବେ ଉପସ୍ଥାପନ କରାଯାଇଛି। ରକ୍ତର ସମ୍ପର୍କ ନଥାଇ ମଧ୍ୟ ଜଣେ ବୋହୂ ଶ୍ୱଶୁର ଘରକୁ ଆପଣେଇ ନେଉଥିବା ବେଳେ, ତା’ ପ୍ରତି ସମାଜର ଦୃଷ୍ଟିକୋଣ ବଦଳିବାର ଆବଶ୍ୟକତା ରହିଛି ବୋଲି ନାଟକରେ ବାର୍ତ୍ତା ଦିଆଯାଇଛି। ନାଟକକୁ  ପଞ୍ଚାନନ ଦାଶ ରଚନା କରିଥିବା ବେଳେ ପାର୍ଥସାରଥୀ ମହାନ୍ତି ନିର୍ଦ୍ଦେଶନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ବିନୟ ଦାଶ ଦେଇଥିଲେ।ଏଥିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିବା ବିରଞ୍ଚି କୁମାର ଦାଶ, କରୁଣାକର ସାମଲ, ଜ୍ୟୋତିରଞ୍ଜନ ରାୟ, ଧରିତ୍ରୀ ଖଣ୍ଡୁଆଳ ଓ ସଂଗୀତା ପ୍ରିୟଦର୍ଶିନୀ ସ୍ୱାଇଁଙ୍କ ଅଭିନୟ ବେଶ ଆକର୍ଷଣୀୟ ହୋଇଥିଲା।ସେହିପରି ମଞ୍ଚ ପରିଚାଳନାରେ ସନ୍ତୋଷ ପଟ୍ଟନାୟକ ଓ ଆଲୋକ ସମ୍ପାଦନାରେ ସତ୍ୟବ୍ରତ ଦାସଙ୍କ ସହଯୋଗ ନାଟକକୁ ଅଧିକ ଜୀବନ୍ତ କରିଥିଲା।

ନାଟକ ଆରମ୍ଭରୁ ଅନୁଷ୍ଠିତ ଉଦଘାଟନୀ ସଭାରେ ମୁଖ୍ୟ  ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ଯୋଗଦାନ କରିଥିବା ବେଳେ ନାଟକର ନିର୍ଦ୍ଦେଶକ ପାର୍ଥସାରଥୀ ମହାନ୍ତି ଏବଂ ନାଟ୍ୟକାର ପଞ୍ଚାନନ ଦାଶଙ୍କୁ ନାଟ୍ୟଧାରା ତରଫରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ନାଟ୍ୟାନୁଷ୍ଠାନ ନାଟ୍ୟଧାରା ପକ୍ଷରୁ ସଭାପତି ପ୍ରମୋଦ ପଟ୍ଟନାୟକ, ସମ୍ପାଦକ ଲକ୍ଷ୍ମୀଧର ମହାପାତ୍ର ଏବଂ ନାଟ୍ୟ ନିର୍ଦ୍ଦେଶକ ଡ.ବିଜୟ କୁମାର ଚୌଧୁରୀ ପ୍ରମୁଖ ମଞ୍ଚାସୀନ ଥିଲେ। ପଠାଣି ସାମନ୍ତ ଅଡିଟୋରିୟମରେ ଉପସ୍ଥିତ ଭରପୁର ନାଟ୍ୟପ୍ରେମୀ ଏହି ଭାବପୂର୍ଣ୍ଣ ପ୍ରଦର୍ଶନକୁ ଉଚ୍ଚ ପ୍ରଶଂସା କରିଥିଲେ ।By:-Laxmidhar Sahoo

ଅଧିକ ପଢନ୍ତୁ