ପଖାଳ ପର୍ବ ଉପଲକ୍ଷେ ପାନ୍ଥ ନିବାସରେ କରାଯାଇଛି ଭବ୍ୟ ଆୟୋଜନ । ପ୍ରଥମ ଥର ପାଇଁ ଗୋଟିଏ ପାତ୍ରରେ ୮୦୦-୮୫୦ କିଲୋର ପଖାଳ ପ୍ରସ୍ତୁତ କରି ବିଶ୍ୱ ରେକର୍ଡ ପାଇଁ ଚେଷ୍ଟା କରାଯିବ । ଏଥିସହ ଆମିଷ ଓ ନିରାମିଷର ୩୬୫ ପ୍ରକାର ବ୍ୟଞ୍ଜନ ମଧ୍ୟ ପ୍ରସ୍ତୁତ ହେବ । ଏହି ରେକର୍ଡ ପାଇଁ ଏକାଠି ହୋଇଛନ୍ତି ICAR, IHM, OTDC । ପଖାଳ ଦିବସ ପାଇଁ ଚଳିତ ବର୍ଷ ଭୁବନେଶ୍ଵର ସ୍ଥିତ ପାନ୍ଥନିବାସରେ ଆୟୋଜିତ ହୋଇଛି “ପଖାଳ ପରବ 2026″ର ଭବ୍ୟ ଆୟୋଜନ ।ଏହାବ୍ୟତୀତ ହାଣ୍ଡି ଚାଉଳ, କଳା ଚାଉଳ, ନାଲି ଚାଉଳ, ପୁସା ଚାଉଳ ଭଳି ୧୫ ପ୍ରକାର ଚାଉଳରୁ ପ୍ରସ୍ତୁତ ପ୍ରାୟ ୩୦ ପ୍ରକାର ପଖାଳ ମଧ୍ୟ ଉପଲବ୍ଧ ରହିବ । ଦହି ପଖାଳ, ଚିପୁଡ଼ା ପଖାଳ, ଲେମ୍ବୁ ପଖାଳ, ଛୁଙ୍କ ପଖାଳ, ବାସି ପଖାଳ ସବୁ ମିଳିବ ଗୋଟିଏ ଜାଗାରେ । କେବଳ ଏତିକି ନୁହେଁ, ଓଡ଼ିଆ ପଖାଳରେ ବିଦେଶୀ ଛୁଙ୍କ ଦେଇ ଏକ ଅନ୍ତର୍ଜାତୀୟ ସ୍ତରର ପଖାଳ ମଧ୍ୟ ପରସାଯିବ । ଲେମନ୍ଟ୍ରି ପଖାଳ, ଆସାମଓଡ଼ିଶା ପଖାଳ, ମିଣ୍ଟୋ ଫ୍ରେସ୍ ପଖାଳ, ଅରେଞ୍ଜ-ମାଣ୍ଡାରିନ୍ ପଖାଳ ଭଳି କି ଭଳି ଫ୍ୟୁଜନ୍ ଷ୍ଟାଇଲ୍ ପଖାଳ ଉପଲବ୍ଧ ହେବ । ୪ଟି ହୋଟେଲ ଲାଇଭ୍ କାଉଣ୍ଟର୍ରେ ଖାଦ୍ୟ ପରସିବେ । ବିଦେଶରେ ଥିବା ଓଡ଼ିଆ ସମାଜ ଆଭାସୀ ମାଧ୍ୟମରେ ଯୋଡ଼ିହେବେ ।
