ଚନ୍ଦକା ଜଙ୍ଗଲରେ ଦିନେ ଘୁରି ବୁଲୁଥିଲା ପୁରୁଷ ହାତୀ ‘ରାମୁ’ । ଦୁଇ ବର୍ଷ ପୂର୍ବେ ଅକସ୍ମାତ ବିଦ୍ୟୁତ ଆଘାତରେ ରାମୁର ମୃତ୍ୟୁ ହୋଇଥିଲା, କିନ୍ତୁ ରାମୁର ସ୍ମୃତିକୁ ଜୀବନ୍ତ ରଖିବା ପାଇଁ ଜଙ୍ଗଲ ବିଭାଗ କରିଛି ଏକ ଅଭିନବ ପ୍ରୟାସ । ମୃତ୍ୟୁ ପରେ ବନ ବିଭାଗ ତା ଶରୀରକୁ ମାଟିରେ ପୋତି ଦେଇଥିଲା । ପରେ ଯେତେବେଳେ ରାମୁର କଙ୍କାଳକୁ ସଂରକ୍ଷଣ କରିବାର ନିଷ୍ପତି ନିଆଗଲା, ବନ ବିଭାଗ କର୍ମଚାରୀ ଓ ଶିବ ପ୍ରସାଦ ପରିଡ଼ାଙ୍କ ସହଯୋଗୀମାନେ ଗତ ଡିସେମ୍ବର ମାସରେ ମାଟିତଳେ ପୋତାଯାଇଥିବା ଶରୀରକୁ ମାଟି ଖୋଳି ବାହାର କରିଥିଲେ । ପରେ ହାଡ଼ଗୁଡ଼ିକୁ ଅଲଗା କରି ସଫା କରାଗଲା ଓ ବର୍ତ୍ତମାନ ଏହାର ସଂରକ୍ଷଣ ପ୍ରକ୍ରିୟା ଚାଲିଛି |ଏହା ବହୁତ ସମୟସାପେକ୍ଷ ଓ ଶ୍ରମସାଧ୍ୟ କାମ । ପ୍ରଥମେ ମାଟି ଖୋଳି ହାତୀ ରାମୁର ଶରୀରକୁ ବାହାର କରାଯାଇଥିଲା । ମାଂସ ପଚିଯାଇଥିବାରୁ ଦୁର୍ଗନ୍ଧ ବାହାରିବା ସହିତ ସଂକ୍ରମଣ ହବାର ଭୟ ମଧ୍ୟ ଥିଲା । ତାପରେ ହାଡ଼ଗୁଡ଼ିକୁ ଶରୀରର ଅବଶିଷ୍ଟ ମାଂସ ଥିବା ଅଂଶରୁ ସଫା କରାଗଲା । ପ୍ରତ୍ୟେକ ହାଡ଼କୁ ଶୁଖାଇ ସଂରକ୍ଷଣ କରିବା ପରେ ସମଗ୍ର କଙ୍କାଳକୁ ଯୋଡ଼ାଯିବ | ତେବେ ଶ୍ରୀଯୁକ୍ତ ପରିଡ଼ା ଏପର୍ଯ୍ୟନ୍ତ ୫ଟି ବିଶାଳ ତିମି, ୨ଟି ଡଲଫିନ, ଗୋଟିଏ ଜଳହସ୍ତୀ, ୨ଟି କୁମ୍ଭୀର ଓ ଗୋଟିଏ ହାତୀ ବ୍ୟତୀତ ଅନେକ ଛଅଟା ବଡ଼ ପଶୁ ଓ ପକ୍ଷୀ ମାନଙ୍କର କଙ୍କାଳ ସଂରକ୍ଷଣ କରିଛନ୍ତି । ସେ ଯୋଡ଼ିଥିବା ଅନେକ କଙ୍କାଳ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପ୍ରାକୃତିକ ଇତିହାସ ସଂଗ୍ରହାଳୟ (Regional Museum of Natural History)ରେ ପ୍ରଦର୍ଶିତ ହେଉଛି ।
