ସୁନାବେଶରେ ଦର୍ଶନ ଦେଲେ ମା ମଝିଘରିଆଣୀ

ରାୟଗଡ଼ (ନିପ୍ର) ୩୦/୦୩ – ଚୈତ୍ର ପର୍ବ ଓ ଝାମୁଯାତ୍ରା ଉପଲକ୍ଷେ ରାୟଗଡର ଅଧିଷ୍ଠାତ୍ରୀ ଦେବା ମା ମଝିଘରିଆଣୀ ରବିବାର ଦିନ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଇଛନ୍ତି । ଶନିବାର ଦିନ ବିଳମ୍ବିତ ରାତ୍ରରେ ମାଙ୍କ ପୂଜାର୍ଚ୍ଚନା ପରେ ସୁନାବେଶରେ ଭୂଷିତ କରାଯାଇଥିଲା । ଚୈତ୍ର ପର୍ବ ଓ ଝାମୁଯାତ୍ରା ଉପଲକ୍ଷେ ମାଁଙ୍କ ପୀଠାରେ ମାର୍ଚ୍ଚ ୨୯ତାରିଖ ରବିବାର ଠାରୁ ଆସନ୍ତା ଏପ୍ରିଲ ୨ତାରିଖ ଗୁରୁବାର ପର୍ଯ୍ୟନ୍ତ ୫ଦିନ ବ୍ୟାପି ଚୈତ୍ର ପର୍ବ ଓ ଝାୁମଯାତ୍ରା ଧୁମଧାମରେ ପାଳନ କରାଯିବ । ଏ ନେଇ ଗତ ଶନିବାର ଦିନ ଦୀକ୍ଷା ଗ୍ରହଣ, ଝଂଜାବତୀ ନଦୀରୁ ପବିତ୍ର ଜଳଯାତ୍ରା ଅନୁଷ୍ଠିତ ହୋଇଥିଲା । ସୁନାବେଶ ନିମନ୍ତେ ମନ୍ଦିର ପରିଚାଳନା କମିଟି ଟ୍ରଷ୍ଟି ରାଇସିଂ ବିଡିକାଙ୍କ ସହିତ ସଦସ୍ୟ ଦେବେନ୍ଦ୍ରନାଥ ପ୍ରଧାନ,ଭି.ଶ୍ରୀନିବାସ ରାଓ,ପାଲକୋଣ୍ଡା ପ୍ରକାଶ,ମୁଖ୍ୟ ପୂଜକ ଚନ୍ଦ୍ରଶେଖର ବେରୁକ,ମନ୍ଦିର ଅଧୀକ୍ଷକ ଜାନକୀବଲ୍ଳଭ ମହାନ୍ତି,ହିସାବରକ୍ଷକ ଭେଙ୍କେଟେଶ୍ୱର ରାଓଙ୍କ ସମେତ ଅନ୍ୟମାନେ ଏବଂ ପୋଲିସ ସୁରକ୍ଷା ବଳୟ ମଧ୍ୟରେ ମାଁଙ୍କ ସୁନାବେଶ ପାଇଁ ରାୟଗଡ଼ା ଟ୍ରେଜେରୀ କାର୍ଯ୍ୟାଳୟରେ ଥିବା ସୁନା ଅଳଙ୍କାରକୁ ମନ୍ଦିରକୁ ଅଣାଯାଇଥିଲା । ଏହା ପରେ ମାଁଙ୍କ ଆଙ୍କୁରାରୋପଣ କରାଯାଇ ମାଁଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଛି । ଚୈତ୍ର ପର୍ବରେ ସୁନାବେଶରେ ମାଁଙ୍କ ଦର୍ଶନ ଲାଭ କରିବା ପାଇଁ ହଜାର ହଜାର ସଂଖ୍ୟକ ଭକ୍ତ ଓ ପର୍ଯ୍ୟଟକଙ୍କ ସମାଗମ ହୋଇଥାଏ ବୋଲି ମନ୍ଦିର ଟ୍ରଷ୍ଟି ରାଇସିଂ ବିଡିକା ପ୍ରକାଶ କରିଛନ୍ତି । ମାଁଙ୍କ ଘଟପୂଜା କାର୍ଯ୍ୟସୂଚୀ ଅନୁଯାୟୀ ୨୮ତାରିଖ ଗତକାଲି ଶନିବାର ଦିନ ସାଢେ ୧୧ଟା ସମୟରେ ଦୀକ୍ଷାଗ୍ରହଣ,ସଂଧ୍ୟା ୫ଟାରେ ଝଂଜାବତୀ ନଦୀରୁ ଜଳ ଯାତ୍ରା ଏବଂ ରାତ୍ର ୭.୨୦ମିନିଟ ପରେ ଅଙ୍କୁରାରୋପଣ ଆରମ୍ଭ ହୋଇଥିଲା । ଏଥିସହ ୨୯ ତାରିଖ ରବିବାର ସଂଧ୍ୟା ୬.୪୮ମି.ରୁ ରାତ୍ର ୯.୧୭ମିନିଟ ମଧ୍ୟରେ ମାଁଙ୍କ ପାଦ ଉଠାଣି ଏବଂ ଘଟ ସ୍ଥାପନ କରାଯିବା ପରେ ୩୦ତାରିଖ ସୋମବାର ଠାରୁ ୨ତାରିଖ ଗୁରୁବାର ପର୍ଯ୍ୟନ୍ତ ସଂଧ୍ୟା ୫ଘଟିକା ଠାରୁ ରାତ୍ର ୯.୪୫ମିନିଟ ପର୍ଯ୍ୟନ୍ତ ମାଁଙ୍କ ଘଟ ଗ୍ରାମ ପରିକ୍ରମା କରାଯିବ । ଏଥିସହ ଗୁରୁବାର ୨ତାରିଖରେ ଅପରାହ୍ନ ୩.୨୭ମିନିଟ ଠାରୁ ସଂଧ୍ୟା ୭.୨୫ମଧ୍ୟେ ମାଁଙ୍କ ଝାମୁଯାତ୍ରା ପାଇଁ ଅଗ୍ନି ସଂଯୋଗ ଏବଂ ରାତ୍ର ସାଢେ ୮ଟାରୁ ରାତ୍ର ୧୧ଘଂଟା ମଧ୍ୟରେ ପୂଜକଙ୍କ କଂଟା ଦୋଳି ଝୁଲଣ ଏବଂ ଅଗ୍ନି ଗମନାଗମନ କାର୍ଯ୍ୟକ୍ରମ ସ୍ଥିର ହୋଇଥିବା କମିଟି ପକ୍ଷରୁ ସୂଚନା ମିିଳିଛି । ସେହିପରି ୨୯ତାରିଖରେ ମନ୍ଦିର ପ୍ରାଙ୍ଗଣରେ ଯଜ୍ଞ କାର୍ଯ୍ୟସୂଚୀ ଅନୁଯାୟୀ ମାଙ୍କ ପୀଠରେ ପ୍ରସିଦ୍ଧ ପଣ୍ଡିତମାନଙ୍କ ଦ୍ୱାରା କର୍ମାରମ୍ଭ,ସୂର୍ଯ୍ୟପୂଜା,ଶାଳପୂଜା,ଚଣ୍ଡିପାଠ,ମୁଖ୍ୟ ଦେବୀଙ୍କ ମହାସ୍ନାନ ପୂର୍ବକ ଷୋଡଶ ଉପଚାର ପୂଜା,ଆରତୀ ପୁଷ୍ମାଂଜଳୀ,କୁଣ୍ଡାଗ୍ନି ସଂସ୍କାର,ଚଣ୍ଡୀ ହୋମ,ତର୍ପଣ ଆରତୀ ଓ ପୁଷ୍ପାଂଜଳୀ ସହ ୩୦ ତାରିଖରୁ ୨ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେହ ଦିନ ମଧ୍ୟ ଉପରୋକ୍ତ ପୂଜା କାର୍ଯ୍ୟ ଅନୁଷ୍ଠିତ ହେବ ଏବଂ ଶେଷଦିନ ଝାମୁ ଅଗ୍ନି ପୂଜା ପରେ ପୂଜକ ଅଗ୍ନିରେ ଚାଲିବା ଏବଂ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଶେଷ ହେବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ କୁହାଯାଇଛି ।

ଅଧିକ ପଢନ୍ତୁ