ଆମେରିକାର ଆରିଜୋନାରୁ ଏକ ଚମତ୍କାର ଘଟଣା ସାମ୍ନାକୁ ଆସିଛି। ଯାହା ସମଗ୍ର ବିଶ୍ୱକୁ ଆଶ୍ଚର୍ଯ୍ୟ କରିଦେଇଛି।ଆମେରିକା ଆରିଜୋନା ଅନ୍ତର୍ଗତ ଷ୍ଟାର୍ ଭ୍ୟାଲିରୁ ୧୯୯୪ ମସିହାରେ ମାତ୍ର ୧୩ ବର୍ଷ ବୟସରେ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଥିବା କ୍ରିଷ୍ଟିନା ମାରି ପ୍ଲାଣ୍ଟେ ଦୀର୍ଘ ୩୨ ବର୍ଷ ପରେ ଜୀବିତ ଓ ସୁରକ୍ଷିତ ମିଳିଥିବା ନେଇ ଶନିବାର ଗିଲା କାଉଣ୍ଟି ଶେରିଫ୍ ଅଫିସ ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ୪୫ବର୍ଷୀୟା କ୍ରିଷ୍ଟିନାଙ୍କୁ ଆଧୁନିକ ଫୋରେନସିକ୍ ତଦନ୍ତ ପ୍ରଣାଳୀ ଓ ଏକ ସ୍ଵତନ୍ତ୍ର ‘କୋଲ୍ଡ କେସ୍ ୟୁନିଟ୍’ର ପୁନଃ ସମୀକ୍ଷା ଦ୍ଵାରା ସଫଳତାର ସହ ଠାବ କରାଯାଇଛି।ଏହି ଘଟଣାଟି ୧୯୯୪ ମସିହା ମେ’ ମାସରେ ଘଟିଥିଲା, ଯେତେବେଳେ କ୍ରିଷ୍ଟିନା ନିଜ ଘରୁ ଘୋଡ଼ାଶାଳକୁ ଯିବା ସମୟରେ ହଠାତ୍ ନିଶ୍ଚିହ୍ନ ହୋଇଯାଇଥିଲେ। ସେ ସମୟରେ ବହୁ ଖୋଜାଖୋଜି ଏବଂ ଜାତୀୟ ସ୍ତରରେ ପ୍ରଚାର ସତ୍ତ୍ୱେ କୌଣସି ସୁଫଳ ମିଳିନଥିବାରୁ ଏହାକୁ ଏକ ”କୋଲ୍ଡ କେସ୍” ଭାବେ ଘୋଷଣା କରାଯାଇଥିଲା। ତେବେ ଗିଲା କାଉଣ୍ଟି ଶେରିଫ୍ ଅଫିସ୍ ପକ୍ଷରୁ ନୂତନ ଜ୍ଞାନକୌଶଳର ବ୍ୟବହାର କରାଯିବା ପରେ ଏହି ମାମଲାରେ ଏକ ବଡ଼ ସଫଳତା ମିଳିଛି। ଡିଟେକ୍ଟିଭମାନେ ନୂଆ ସୂତ୍ର ପାଇବା ପରେ କ୍ରିଷ୍ଟିନାଙ୍କୁ ଚିହ୍ନଟ କରିବାରେ ସକ୍ଷମ ହୋଇଥିଲେ। ପୋଲିସ ପ୍ରଶାସନ ଏହି ସଫଳତା ପାଇଁ ତଦନ୍ତକାରୀ ଦଳକୁ ପ୍ରଶଂସା କରିଛି |
