
ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ପୌରାଞ୍ଚଳରେ ଚେସ ଖେଳାଳି ମାନଙ୍କ ପ୍ରଶିକ୍ଷଣ ନିମନ୍ତେ ପ୍ରଥମ ଥର ପାଇଁ ସ୍ଥାପିତ ଏକ ଚେସ ଏକାଡେମୀ ଆଜି ପୂର୍ବାହ୍ନରେ ଉଦଘାଟିତ ହୋଇଯାଇଛି। ନୟାଗଡ଼ ଟାଉନ ଷ୍ଟେସନ ରୋଡ଼ରେ ଥିବା ଫିଟନେସ ପ୍ଲାନେଟ ନିକଟରେ ଅବସ୍ଥିତ ଏହି ଚେସ ଏକାଡେମୀକୁ ଓଡ଼ିଶା ଚେସ ଆସୋସିଏସନ ସମ୍ପାଦକ ଇଂ ଦେବବ୍ରତ ଭଟ୍ଟ ଏବଂ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ତଥା ସମାଜସେବୀ ପ୍ରମୋଦ ପଟ୍ଟନାୟକ ମିଳିତ ଭାବେ ଉଦଘାଟନ କରିଥିଲେ।

ଏଥିରେ ଅନ୍ୟତମ ଅତିଥି ଭାବେ ଜିଲ୍ଲା ଚେସ ଆସୋସିଏସନ ସମ୍ପାଦକ ଲକ୍ଷ୍ମୀଧର ସାହୁ, ରାଜ୍ୟ ଚେସ ଆସୋସିଏସନ କାର୍ଯ୍ୟକାରିଣୀ କମିଟି ସଦସ୍ୟ ରିତେଶ ରଥ, ପୂର୍ବତନ ସଭାପତି ଶ୍ରୀଧର ସାହୁ,ସଦସ୍ୟ ବିଶ୍ୱରଂଜନ ଦାଶ ତଥା ଚେସ ଏକାଡେମୀର ନିର୍ଦ୍ଦେଶକ ବାଲାରସେନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଚେସ ଖେଳ ଶିଖିବା ତଥା ବିଭିନ୍ନ ବର୍ଗର ଚେସ ଖେଳାଳି ମାନେ ଏଠାରୁ ପ୍ରଶିକ୍ଷଣ ଗ୍ରହଣ କରି ନିଜକୁ ଜଣେ ଜଣେ ଭଲ ଖେଳାଳି ଭାବେ ଗଢ଼ି ତୋଳିବା ପାଇଁ ଏହି ଏକାଡେମୀ ବେଶ ସହାୟକ ହେବ ବୋଲି ଉପସ୍ଥିତ ଅତିଥି ମାନେ ଆଶା ପୋଷଣ କରିଥିଲେ।

ବିପି ଚେସ ଏକାଡେମୀ ନାମରେ ନାମିତ ଏହି ଚେସ ପ୍ରଶିକ୍ଷଣ କେନ୍ଦ୍ରକୁ ରାଜ୍ୟ ତଥା ରାଜ୍ୟ ବାହାରୁ ବିଶିଷ୍ଟ କୋଚ ମାନେ ଆସି ପ୍ରଶିକ୍ଷଣ ଦେବେ ବୋଲି ଜଣାପଡିଛି। ଏହି ଚେସ ଏକାଡେମୀରେ ଆଡ଼ମିସନ କରି ପ୍ରଶିକ୍ଷଣ ନେବା ପାଇଁ ନିର୍ଦ୍ଦେଶକଙ୍କ ମୋବାଇଲ ନମ୍ବର ୮୬୩୭୨୦୨୮୯୮ରେ ଯୋଗାଯୋଗ କରି ସବିଶେଷ ତଥ୍ୟ ଜାଣିବା ପାଇଁ ଏକାଡେମୀ ପକ୍ଷରୁ କୁହାଯାଇଛି।

