ନୟାଗଡ଼,(ଓଡିଶା ଦର୍ପଣ): ରାଜ୍ୟରେ ବିପର୍ଯ୍ୟସ୍ତ ଆଇଶୃଙ୍ଖଳା କୁ ଏନେଇ ଆଜି ନୟାଗଡ଼ ଜିଲ୍ଲା ବିଜୁ ଜନତା ଦଳ ତରଫରୁ ବିରୋଧୀ ଦଳ ନେତା ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପରାମର୍ଶ କ୍ରମେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ, ବିଜେଡ଼ି ଜିଲ୍ଲା ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ, ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ ପ୍ରମୁଖ ଉପସ୍ଥିତ ରହି
ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନୟାଗଡ଼ ଆରକ୍ଷୀ ଅଧିକ୍ଷକଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ସୂଚନାନୁସାରେ, ଡବଲ ଇଞ୍ଜିନ ସରକାର କ୍ଷମତାକୁ ଆସିବା ପରେ ରାଜ୍ୟରେ ଅରାଜକତା ବଢ଼ିଛି । ଅପରାଧିମାନେ ଆଇନକୁ ଭୃକ୍ଷେପ କରୁ ନାହାନ୍ତି । ବର୍ବରତା ସୀମା ଅତିକ୍ରାନ୍ତ କରିଛି । ଢେଙ୍କାନାଳ ଜିଲ୍ଲା ଭାପୁର ଅଞ୍ଚଳରେ ଦଳୀତ ମହିଳାଙ୍କୁ ଦୁଷ୍କର୍ମ ପରେ ପଥରରେ ଛେଚି ହତ୍ୟା ଘଟଣାରୁ ଆରମ୍ଭ କରି ପୁରୀ ଜିଲ୍ଲା ବଳଙ୍କା ଯୁବତୀଙ୍କୁ ହତ୍ୟା ଘଟଣା, ଗଞ୍ଜାମରେ ଗର୍ଭବତୀ ମହିଳାଙ୍କୁ ହତ୍ୟା ଘଟଣା, ବ୍ରହ୍ମଗିରିରେ ୬ ବର୍ଷ ଶିଶୁକନ୍ୟାକୁ ଦୁଷ୍କର୍ମ, କଣାସ ଥାନା ଅଞ୍ଚଳରେ ବାଲି ମାଫିଆଙ୍କ ଦୈାରାତ୍ମ ପ୍ରସଙ୍ଗ ଉଠାଇ ସରକାରକୁ ଘେରିଛନ୍ତି । ନୟାଗଡ଼ ଓଡ଼ଗାଁରେ ଖଣି ମାଫିଆଙ୍କ ଦ୍ୱାରା ହତ୍ୟା ଘଟଣା ସବୁ ସୀମା ଟପିଛି ବୋଲି କହିଛନ୍ତି । ୨ ବର୍ଷରେ ବିଜେପି ସରକାର ଓଡ଼ିଶାର ଛବିକୁ ମଳିନ କରିଥିବା କହିଛନ୍ତି । ଶାନ୍ତିର ଜିଲ୍ଲା ନୟାଗଡରେ ଦିନକୁଦିନ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହେବାରେ ଲାଗିଛି ବୋଲି ବିଜେଡି ଅଭିଯୋଗ କରିଛି । ଅପରାଧୀମାନେ ପୋଲିସକୁ ଚ୍ଯାଲେଞ୍ଜ ଦେଇ ଅପରାଧ ଘଟାଇଚାଲିଛନ୍ତି । ଭାପୁର ବ୍ଲକରେ ବିଭିନ୍ନ ଗଣ୍ଡଗୋଳ , ଓଡଗାଁରେ ଯୁବକଙ୍କୁ ହତ୍ଯା , ଗଣିଆରେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିବା ଘଟଣା ଏହାର ଉଦାହରଣ ବୋଲି ବିଜେଡି କହିଛି । ପୋଲିସ କାହାର ଚାପରେ ନପଡି ଏବଂ ବିଶେଷକରି ଶାସକଦଳର କର୍ମୀଙ୍କ ଦ୍ବାରା ପ୍ରଭାବିତ ନହୋଇ କାର୍ଯ୍ଯ କରିବାକୁ ବିଜେଡି ଆହ୍ବାନ ଦେଇଛି । ନୟାଗଡ଼ ବିଧାୟକ ବିଭିନ୍ନ ଜିଲ୍ଲାରେ ଘଟୁଥିବା ନୃସଂଶ ହତ୍ୟାକାଣ୍ଡକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ଓଡ଼ିଶା ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି । କଥା କଥାରେ ଗୁଳି, ବୋମା, ଖଣ୍ଡା ଠେଙ୍ଗା ଚାଲୁଛି । ଯେଉଁମାନେ ଆଇନକୁ ହାତକୁ ନେଉଛନ୍ତି, ସେମାନଙ୍କର ପୁଲିସ ପ୍ରତି ତିଳେମାତ୍ର ଭୟ ନାହିଁ ବୋଲି କହିଛନ୍ତି । ପୋଲିସ ନିଜର ଦାୟୀତ୍ବ ଠିକ୍ ଭାବେ ନତୁଲାଇଲେ ଆଗାମୀଦିନରେ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ବୋଲି ଦଳ ପକ୍ଷରୁ କୁହାଯାଇଛି । ତେଣୁ ନୟାଗଡ ଜିଲ୍ଲାରେ ସୃଷ୍ଟି ହୋଇଥିବା ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାରେ ସୁଧାର ଆଣିବା ପାଇଁ ବିଜେଡି ପକ୍ଷରୁ ଆଜି ନୟାଗଡ଼ ଆରକ୍ଷୀ ଅଧିକ୍ଷକ ଏସ୍ ସୁଶ୍ରୀଙ୍କୁ ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ଦାବିପତ୍ର ପ୍ରଦାନ କରିବା ସମୟରେ ବିଜୁ ଜନତା ଦଳର ନେତା ମାନେ ଉପସ୍ଥିତ ଥିଲେ।
