ଜଣେ ଅଭିଯୁକ୍ତ ଯଦି ଅଦାଲତଙ୍କ ବାରମ୍ବାର ନୋଟିସ୍ ସତ୍ତେ୍ୱ ହାଜର ହେଉନାହାନ୍ତି ତାହେଲେ ତାଙ୍କୁ ନୋଟିସ୍ କରାଯାଇ ପାରିବ କିମ୍ବା ତାଙ୍କ ବିରୋଧରେ ଜାମିନ ଯୁକ୍ତ ପରୱାନା ଜାରି କରାଯାଇ ପାରିବ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ମତ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଗୌରୀଶଙ୍କର ଶତପଥୀ ଅଭିଯୁକ୍ତ ତ୍ରିନାଥ ଗୁରୁଙ୍କ ବିରୋଧରେ ଜାରି ଏନ୍ବିଡବ୍ଲୁଏକୁ ରଦ୍ଦ କରି ଦେଇଛନ୍ତି ।ମାମଲାର ବିବରଣୀ ଅନୁଯାୟୀ, ଗତ ୨୦୨୬ ମେ ୬ ତାରିଖ ଦିନ ନିମ୍ନ ଅଦାଲତରେ ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ସହ ଅନ୍ୟ ଅଭିଯୁକ୍ତ ଅନୁପସ୍ଥିତ ଥିଲେ। ଏହାକୁ ଆଧାର କରି ଲଖନପୁର ଜେଏମଏଫସି ସେହିଦିନ ହିଁ ସିଧାସଳଖ ଅଭିଯୁକ୍ତ ତ୍ରିନାଥ ଗୁରୁଙ୍କ ବିରୋଧରେ ଏନବିଡବ୍ଲ୍ୟୁ ଜାରି କରିବାକୁ ନିର୍ଦେଶ ଦେଇଥିଲେ। ନିମ୍ନ ଅଦାଲତଙ୍କ ଏହି କାର୍ଯ୍ୟାନୁଷ୍ଠାନକୁ ଚାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟରେ ଶୁଣାଣି ବେଳେ ଆବେଦନକାରୀଙ୍କ ଓକିଲ ଦର୍ଶାଇଥିଲେ ଯେ, ଅଭିଯୁକ୍ତ ପୂର୍ବରୁ ୨୦୨୫ ଡିସେମ୍ବର ୨୩ରେ ଏହି ମାମଲାରେ ଜାମିନ ପାଇସାରିଥିଲେ ଏବଂ ସେ ଜାମିନ ସର୍ତ୍ତ ମଧ୍ୟ ପାଳନ କରୁଥିଲେ। ଆଇନ ଅନୁଯାୟୀ, ଥରେ ଜାମିନ ମିଳିବା ପରେ ତାହା ରଦ୍ଦ ନ ହେବା ପର୍ଯ୍ୟନ୍ତ କାଏମ ରହେ; ତେଣୁ କେବଳ ଗୋଟିଏ ଦିନ ଅନୁପସ୍ଥିତ ରହିବା ଯୋଗୁଁ କୌଣସି ସ୍ପଷ୍ଟ ସୂଚନା ବା କାରଣ ନ ଦର୍ଶାଇ ସିଧାସଳଖ ଏନବିଡବ୍ଲ୍ୟୁ ଜାରି କରିବା ଆଇନଗତ ଭାବେ ତ୍ରୁଟିପୂର୍ଣ୍ଣ। ହାଇକୋର୍ଟ ନିମ୍ନ ଅଦାଲତଙ୍କ ଆଦେଶକୁ ସମୀକ୍ଷା କରି କହିଛନ୍ତି ଯେ, ବିଏନଏସଏସର ଧାରା ୩୫୫ ଅନୁସାରେ ଅଦାଲତଙ୍କ ପାଖରେ ଅଭିଯୁକ୍ତଙ୍କ ବ୍ୟକ୍ତିଗତ ଉପସ୍ଥିତିକୁ କୋହଳ କରିବାର ଯଥେଷ୍ଟ କ୍ଷମତା ରହିଛି। ଯଦି ଜଣେ ଅଭିଯୁକ୍ତ କୋର୍ଟରେ ହାଜର ହେଉନାହାନ୍ତି, ତେବେ ମାଜିଷ୍ଟ୍ରେଟ୍ ସିଧାସଳଖ ଏନବିଡବ୍ଲ୍ୟୁ ଜାରି ନ କରି, ପ୍ରଥମେ ଜାମିନଦାର (ବେଲର୍ସ)ଙ୍କୁ ନୋଟିସ୍ ଜାରି କରିବା ଉଚିତ୍। ଅଦାଲତ ଆହୁରି କହିଛନ୍ତି ଯେ ଆଇନସମ୍ମତ ଏବଂ ଠିକ୍ ପ୍ରକ୍ରିୟା ବିନା କୌଣସି ବ୍ୟକ୍ତିର ବ୍ୟକ୍ତିଗତ ସ୍ୱାଧୀନତାକୁ ଛଡ଼ାଇ ନିଆଯାଇପାରିବ ନାହିଁ। କାରଣ ଗିରଫଦାରୀ ବା ଜେଲ୍ ହାଜତକୁ ଯିବା ଦ୍ୱାରା ସମ୍ପୃକ୍ତ ବ୍ୟକ୍ତି ଅନେକ ହଇରାଣ ଓ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି; ତେଣୁ ଏନବିଡବ୍ଲ୍ୟୁ ଭଳି କଠୋର ପଦକ୍ଷେପ ଗ୍ରହଣ କରିବା ପୂର୍ବରୁ ଅଦାଲତଙ୍କ ନିକଟରେ ଠୋସ୍ କାରଣ ରହିବା ଆବଶ୍ୟକ, ଯାହା ନିମ୍ନ ଅଦାଲତଙ୍କ ଆଦେଶରେ ନଥିଲା। ଏହି ସମସ୍ତ ଦିଗକୁ ବିଚାରକୁ ନେଇ ହାଇକୋର୍ଟ ନିମ୍ନ ଅଦାଲତଙ୍କ ଏନବିଡବ୍ଲ୍ୟୁ ଆଦେଶକୁ ରଦ୍ଦ କରିବା ସହ ତ୍ରିନାଥ ଗୁରୁଙ୍କ ପୂର୍ବ ଜାମିନକୁ ବଳବତ୍ତର ରଖିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ କମିଲ୍ ରସିଦ୍ ମାମଲା ପରିଚାଳନା କରୁଥିଲେ ।
