ମହିଳା ସରପଞ୍ଚଙ୍କୁ ଆକ୍ରମଣ ନେଇ ଗର୍ଜିଲା ବିଜେଡି, ନିରପେକ୍ଷ ତଦନ୍ତ ଦାବି କଲା

ମହାକାଳପଡ଼ା ବ୍ଲକ ତିଖିରୀ ପଞ୍ଚାୟତର ସରପଞ୍ଚ ଚାମେଲୀ ଓଝାଙ୍କ ସହ ଘଟିଥିବା ଦୁର୍ବ୍ୟବହାର, ଶାରୀରିକ ଆକ୍ରମଣ, ଧମକ ଘଟଣା ଓଡ଼ିଶାରେ ମହିଳା ସୁରକ୍ଷା ଉପରେ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାଜ୍ୟ ସରକାର ୨ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରୁଥିବା ବେଳେ ଜଣେ ନିର୍ବାଚିତ ମହିଳା ଜନପ୍ରତିନିଧିଙ୍କୁ ସର୍ବସମ୍ମୁଖରେ ଏଭଳି ଅପମାନିତ କରାଯିବା ଅତ୍ୟନ୍ତ ଲଜ୍ଜାଜନକ ଓ ନିନ୍ଦନୀୟ ବୋଲି ବିଜେଡି କହିଛି ।ବିଜେପି ସରକାରରେ ମହିଳାମାନେ ପ୍ରତିଦିନ ଲୁହ ନୁହେଁ, ବରଂ ଲହୁ ଝରାଉଛନ୍ତି । ପୀଡ଼ିତା ସରପଞ୍ଚ ଚାମେଲୀ ଓଝା ନିଜେ ବିଜେପିର ଜଣେ ସକ୍ରିୟ ସଦସ୍ୟା ହୋଇଥିବା ବେଳେ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସ୍ଥାନୀୟ ବିଧାୟକ ଓ ବିଡିଓ ଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣି ନ୍ୟାୟ ମାଗିଛନ୍ତି ।  ଆକ୍ରମଣ ସମୟରେ ଚାମେଲୀଙ୍କ ମୋବାଇଲ୍ ଫୋନ୍ ଛଡ଼ାଇ ନିଆଯାଇଛି । ମୋବାଇଲରେ ଥିବା ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ପ୍ରମାଣଗୁଡ଼ିକୁ ନଷ୍ଟ କରିବାକୁ ପୋଲିସ ଚେଷ୍ଟା କରୁଛି ବୋଲି ବିଜେଡି ଅଭିଯୋଗ କରିଛି ।  ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକ ମହିଳାଙ୍କୁ ପଞ୍ଚାୟତରେ ୫୦% ସଂରକ୍ଷଣ ଦେଇ ନେତୃତ୍ୱର ସୁଯୋଗ ଦେଇଥିଲେ ।  କିନ୍ତୁ ଆଜି ସେହି ବ୍ୟବସ୍ଥାର ଜଣେ ପ୍ରତିନିଧିଙ୍କୁ ଅପମାନିତ ସମଗ୍ର ନାରୀଜାତି ପାଇଁ ଆହ୍ୱାନ ।  ଘଟଣାର ତୁରନ୍ତ ଏକ ଉଚ୍ଚସ୍ତରୀୟ ତଥା ନିରପେକ୍ଷ ତଦନ୍ତ ଦାବି କରିଛି ବିଜେଡି ।

ଅଧିକ ପଢନ୍ତୁ