ଓମାନ ଉପକୂଳରେ ହୋଇଥିବା ଆକ୍ରମଣରେ ତିନି ଜଣ ଭାରତୀୟଙ୍କ ମୃତ୍ୟୁ ପରେ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓଙ୍କୁ ଫୋନ୍ କରିଛନ୍ତି। ଜୟଶଙ୍କର ଏହି ଫୋନ୍ କଲ୍ରେ କଡ଼ା ପ୍ରତିବାଦ ପ୍ରକାଶ କରିଛନ୍ତି। ଏଭଳି ଘଟଣା ଆଦୌ ଉଚିତ ନୁହେଁ, ବାଣିଜ୍ୟିକ ଜାହାଜଗୁଡ଼ିକ ଏଭଳି ଆକ୍ରମଣର ଶିକାର ହେବା କଥା ନୁହେଁ ବୋଲି ଜୟଶଙ୍କର କହିଥିବା ସୂଚନା ମିଳିଛି।ବୁଧବାର ଓମାନ ଉପସାଗରରେ ବାଣିଜ୍ୟିକ ଟ୍ୟାଙ୍କର MT ସେଟ୍ଟେବେଲୋ ଉପରେ ଆମେରିକା ନୌସେନା ଆକ୍ରମଣ କରିଥିଲା। ଏଥିରେ୨୪ ଜଣ ଭାରତୀୟ ଥିବା ବେଳେ ୨୧ ଜଣଙ୍କୁ ଉଦ୍ଧାର କରାଯାଇଥିଲା, ତିନି ଜଣଙ୍କର ମୃତ୍ୟୁ ହୋଇଥିଲା। ଇରାନ ବନ୍ଦରଗୁଡ଼ିକ ଉପରେ ଲାଗୁ ହୋଇଥିବା ନୌସେନା ଅବରୋଧ ଏହି ଜାହାଜଟି ଉଲ୍ଲଂଘନ କରିଥିବା ଅଭିଯୋଗ କରି ଆମେରିକା ଏହି ଆକ୍ରମଣ କରିଥିଲାଆମେରିକା ଆକ୍ରମଣରେ ପ୍ରାଣ ହରାଇଥିବା ତିନି ଜଣ ଭାରତୀୟ ମର୍ଚ୍ଚାଣ୍ଟ ନେଭିର ପୁରୁଷ ଅଧିକାରୀ ଥିଲେ। ସେମାନଙ୍କୁ ଡେକ୍ କ୍ୟାଡେଟ୍ ଆଦିତ୍ୟ ଶର୍ମା, ଇଞ୍ଜିନ୍ ଫିଟର ଶିବାନନ୍ଦ ଚୌରାସିଆ ଏବଂ ଚିଫ୍ ଇଞ୍ଜିନିୟର ପାଟନାଲା ସୁରେଶ ଭାବରେ ଚିହ୍ନଟ କରାଯାଇଛି।
ଏହି ଦୁଃଖଦ ଘଟଣା ପରେ, ଭାରତ ୱାସିଂଟନରୁ ଆରମ୍ଭ କରି ନୂଆଦିଲ୍ଲୀ ପର୍ଯ୍ୟନ୍ତ କ୍ଷୋଭ ପ୍ରକାଶ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ତୁରନ୍ତ ନୂଆଦିଲ୍ଲୀରେ ଥିବା ଆମେରିକାର ଚାର୍ଜ ଡି ଆଫେୟର୍ସ (କାର୍ଯ୍ୟକାରୀ ରାଷ୍ଟ୍ରଦୂତ)ଙ୍କୁ ଡକାଇ ଆକ୍ରମଣ ପାଇଁ ସିଧାସଳଖ ସ୍ପଷ୍ଟୀକରଣ ମାଗିଛି। ଆମେରିକାର ସେନା କିପରି ଏକ ବାଣିଜ୍ୟ ଜାହାଜ ଉପରେ ଗୁଳି ଚଳାଇ ଆକ୍ରମଣ କଲା ସେ ବିଷୟରେ ଭାରତ ଗଭୀର ଚିନ୍ତା ଏବଂ ଅସନ୍ତୋଷ ପ୍ରକାଶ କରିଛି।
