ଏମ୍ସର ଏମଡି ବିଭାଗରେ ପଢୁଥିବା ଡାକ୍ତରୀ ଛାତ୍ରୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମୃତ ଡାକ୍ତର ଛାତ୍ରୀଙ୍କ ନାମ ଦିବ୍ୟା ଓ ତାଙ୍କ ଘର କର୍ଣ୍ଣାଟକରେ ବୋଲି ଜଣାପଡ଼ିଛି । ପୁରୁଷ ବନ୍ଧୁଙ୍କ ସହ ପୂର୍ବରୁ ଭଡା ଘରେ ରହୁଥିଲେ ମୃତ ଡାକ୍ତର ଛାତ୍ରୀ । ଗତକାଲି ଅପରାହ୍ନରେ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।ଖଣ୍ଡଗିରି ଥାନା ପୁଲିସ ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି ।ସୂଚନା ମୁତବକ, ଦିବ୍ୟାଙ୍କ ସହ ଅନ୍ୟ ଜଣେ ରୁମ୍ମେଟ୍ ଉକ୍ତ ଫ୍ଲାଟ୍ରେ ରହୁଥିଲେ । ସେ ମଧ୍ୟ ଏମ୍ସର ପିଜି ଛାତ୍ରୀ । ମଙ୍ଗଳବାର ସକାଳ ସାଢ଼େ ୯ଟାରେ ରୁମ୍ମେଟ୍ ଜଣକ ଫ୍ଲାଟ୍ରୁ ବାହାରି ହସ୍ପିଟାଲକୁ ଯାଇଥିଲେ । ସେତେବେଳେ ଦିବ୍ୟା ଚୁପ୍ଚାପ୍ ରୁମ୍ରେ ବସିଥିଲେ । ସେ ମଧ୍ୟାହ୍ନ ୧ଟାରେ ରୁମ୍କୁ ଫେରିବା ବେଳକୁ ଭିତର ପଟୁ ବନ୍ଦ ଥିବା ଦେଖିଥିଲେ । ଅନେକଥର ଡାକିବା ସତ୍ତ୍ଵେ ଦିବ୍ୟା କବାଟ ନ ଖୋଲିବାରୁ ତାଙ୍କର ସନ୍ଦେହ ଉପୁଜିଥିଲା । ରୁମ୍ମେଟ୍ ଜଣକ ସଙ୍ଗେ ସଙ୍ଗେ ଡୁପ୍ଲିକେଟ୍ ଚାବିରେ କବାଟ ଖୋଲିଥିଲେ । ଦିବ୍ୟା ଏକ ବେଡ୍ସିଟ୍ରେ ବେକକୁ ଗୁଡ଼ାଇ ଫ୍ୟାନ୍ରେ ଝୁଲିପଡ଼ିଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଓହ୍ଲାଇ ଏମସ୍କୁ ପଠାଇଥିଲା । ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଉକ୍ତ ଫ୍ଲାଟ୍ରେ ତନାଘନା କରି ଫେରିଛି ।
ରୁମ୍ରୁ ଏକ ଡାଏରୀରେ ହାତଲେଖା ସୁଇସାଇଡ୍ ନୋଟ୍କୁ ପୁଲିସ ଜବତ କରିଛି । ସୁଇସାଇଡ୍ ନୋଟ୍ଟି ଦିବ୍ୟାଙ୍କ ହାତଲେଖା କି ନୁହେଁ, ତାହା ଜାଣିବାକୁ ରସୁଲଗଡ଼ସ୍ଥିତ ରାଜ୍ୟ ଅପରାଧ ବିଧି ବିଜ୍ଞାନଗାରର ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯିବ ।ସେହିପରି ଦିବ୍ୟାଙ୍କ ସହପାଠୀ ଓ ସହକର୍ମୀଙ୍କୁ ପଚରାଉଚରା ବେଳେ ଦିବ୍ୟାଙ୍କ ରୋଗ ଓ ଯନ୍ତ୍ରଣାର ଇତିହାସ ଜାଣିବାକୁ ପାଇଛି ପୁଲିସ । ତେବେ କେଉଁ କାରଣରୁ ସେ ଆତ୍ମହତ୍ୟା କଲେ ତାହା ଜଣାପଡ଼ି ନାହିଁ ।ଆଜି କର୍ଣ୍ଣାଟକରୁ ପରିବାର ଲୋକ ଭୁବନେଶ୍ୱର ଆସୁଛନ୍ତି । ପରିବାର ଲୋକଙ୍କୁ ଆଜି ପୁଲିସ ମୃତଦେହ ହସ୍ତାନ୍ତର କରିବ ବୋଲି ଜଣାପଡିଛି।
