ରାଜ୍ୟରେ ପୁଣି ଥରେ ସକ୍ରିୟ ହେବାକୁ ଯାଉଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଆସନ୍ତା କିଛି ଦିନ ମଧ୍ୟରେ ବର୍ଷାର ପରିମାଣ ବଢ଼ିବା ସହ ଅଧିକାଂଶ ଜିଲ୍ଲାରେ ବ୍ୟାପକ ବର୍ଷା ହେବାର ସମ୍ଭାବନା ଦେଖାଦେଇଛି ।ତେବେ ମୌସୁମୀ ଓ କାଳବୈଶାଖୀ ପ୍ରଭାବରେ ରାଜ୍ୟରେ କିଛି ସ୍ଥାନରେ ବର୍ଷା ଜାରି ରହିଥିବା ବେଳେ ୨୪ ଘଣ୍ଟାରେ ସବୁ ଜିଲା ଭିଜିବ। ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ରାୟଗଡ଼ା, ଗଜପତି ଜିଲାରେ ବର୍ଷା, ବଜ୍ରପାତ ସହ ୫୦ରୁ ୬୦ କିମି ବେଗରେ ଝଟକା ପବନର ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ନିଂ ଦିଆଯାଇଛି । ଗତ କିଛି ଦିନ ଧରି ରାଜ୍ୟର ଅନେକ ଅଞ୍ଚଳରେ ବର୍ଷାର ପରିମାଣ କମ୍ ଥିବାବେଳେ ତାପମାତ୍ରା ଓ ଗରମ-ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରିଥିଲା ।ତେବେ ମୌସୁମୀ ସକ୍ରିୟ ହେବା ସହିତ ଏହି ପରିସ୍ଥିତିରେ ସୁଧାର ଆସିବା ନେଇ ଆଶା କରାଯାଉଛି । ଚାଷ କାମ ପାଇଁ ମଧ୍ୟ ଏହି ବର୍ଷା ବେଶ ସହାୟକ ହେବ ବୋଲି କୁହାଯାଉଛି ।
