LPG ଉପଭୋକ୍ତାଙ୍କୁ PNGକୁ ସ୍ଥାନାନ୍ତର ପାଇଁ ସଚେତନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର

LPG ବଦଳରେ ପାଇପ୍ ଗ୍ୟାସ PNGକୁ ପ୍ରୋତ୍ସାହନ । ଏନେଇ ଜିଲ୍ଲାପାଳମାନଙ୍କୁ ସରକାରଙ୍କ ନିର୍ଦ୍ଦେଶ । ରାଜ୍ୟରେ ରନ୍ଧନ ଗ୍ୟାସ୍ ବ୍ୟବସ୍ଥାରେ ଆସିବାକୁ ଯାଉଛି ବଡ଼ ପରିବର୍ତ୍ତନ । ଏଣିକି ସହରାଞ୍ଚଳରେ ଘରେ ଘରେ ପାଇପ୍ ମାଧ୍ୟମରେ ପହଞ୍ଚିବ ପ୍ରାକୃତିକ ଗ୍ୟାସ୍ ।ନଗର ଉନ୍ନୟନ ବିଭାଗ ପକ୍ଷରୁ ଜୁନ୍ ୧୮ ତାରିଖରେ ସମସ୍ତ ଜିଲ୍ଲାପାଳ, ପୌର କମିଶନର ଓ ସମ୍ପୃକ୍ତ ଅଧିକାରୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ପତ୍ର ଜାରି କରାଯାଇଛି । କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ପରାମର୍ଶ ଅନୁଯାୟୀ, ଯେଉଁ ସହରରେ PNG ବ୍ୟବସ୍ଥା ରହିଛି, ସେଠାରେ ଘରୋଇ PNG ସଂଯୋଗକୁ ଯୁଦ୍ଧକାଳୀନ ଭିତ୍ତିରେ ବଢ଼ାଇବାକୁ କୁହାଯାଇଛି ।ସରକାରଙ୍କ ମତରେ PNG ବ୍ୟବହାର ବଢ଼ିଲେ, LPG ସିଲିଣ୍ଡର ଉପରେ ନିର୍ଭରଶୀଳତା କମିବ । ଉପଭୋକ୍ତାମାନେ ଅଧିକ ସୁରକ୍ଷିତ, ପରିବେଶ ଅନୁକୂଳ ଓ ନିରବଚ୍ଛିନ୍ନ ଗ୍ୟାସ୍ ସେବା ପାଇବେ । ଏହାସହ ସରକାରଙ୍କ ସବସିଡି ବ୍ୟୟ ମଧ୍ୟ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି ।ଓଡ଼ିଶା ସିଟି ଗ୍ୟାସ ଡିଷ୍ଟ୍ରିବ୍ୟୁସନ (CGD) ନୀତି–୨୦୨୬ ଅନୁଯାୟୀ ରାଜ୍ୟରେ PNG ନେଟୱାର୍କର ଦ୍ରୁତ ବିସ୍ତାର ଓ ସ୍ୱଚ୍ଛ ଇନ୍ଧନର ବ୍ୟବହାରକୁ ସରକାର ଗୁରୁତ୍ୱ ଦେଉଛନ୍ତି । ତେଣୁ ଆଗାମୀ ଦିନରେ ସହରାଞ୍ଚଳରେ ଘରେ ଘରେ ପାଇପ୍ ଗ୍ୟାସ୍ ସଂଯୋଗ ବଢ଼ିବା ସହ ରୋଷେଇ ଗ୍ୟାସ୍ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ ।

ଅଧିକ ପଢନ୍ତୁ