ତ୍ରୁଟି ପୂର୍ଣ୍ଣ ବହିକୁ ନେଇ ସରକାର ଅପବାଦ ମୁଣ୍ଡାଇବା ପରେ ଆରମ୍ଭ ହୋଇଛି ତନାଘନା। କେଉଁ ସ୍ତରରେ ଓ କେମିତି ହେଲା ତ୍ରୁଟି? ଏଥିପାଇଁ ଦାୟୀ କିଏ? ଅଧିକାରୀଙ୍କୁ ଡାକି ଆଲୋଚନା କରିବା ସହ ବିସ୍ତୃତ ତଥ୍ୟ ସଂଗ୍ରହ କରିଛନ୍ତି ଉନ୍ନୟନ କମିସନର। ମୁଖ୍ୟମନ୍ତ୍ରୀଙ୍କ ରିପୋର୍ଟ ଆଧାରରେ ହେବ କାର୍ଯ୍ୟାନୁଷ୍ଠାନ। ପ୍ରକାଶନ ଦାୟିତ୍ବରେ ଥିବା ସମସ୍ତ ଅଧିକାରୀ ତଦନ୍ତର ସମ୍ମୁଖୀନ ହେବେ। ଉଚ୍ଚସ୍ତରୀୟ କମିଟି ୭ ଦିନ ମଧ୍ୟରେ ତଦନ୍ତ କରି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେବ।ସେପଟେ SCERT ନିର୍ଦ୍ଦେଶକ ପଦବୀରେ ଶିକ୍ଷାବିତ କିମ୍ବା ଜଣେ ପ୍ରଫେସରଙ୍କ ବଦଳରେ ପ୍ରଶାସନିକ ଅଧିକାରୀ ରହିବା ନେଇ ଉଠିଛି ପ୍ରଶ୍ନ। ଶିକ୍ଷାବିତ କହିଛନ୍ତି, ଏହି ଗୁରୁତ୍ବପୂର୍ଣ୍ଣ ଏକାଡେମିକ ପଦବୀରେ ପ୍ରଶାସନିକ ବ୍ୟକ୍ତିଙ୍କ ନିଯୁକ୍ତି ହିଁ ପାଠ୍ୟପୁସ୍ତକ ବିଭ୍ରାଟର ଅନ୍ୟତମ ପ୍ରମୁଖ କାରଣ ହୋଇପାରେ। ପାଠ୍ୟକ୍ରମ ପ୍ରସ୍ତୁତି ଏବଂ ଶିଶୁ ମନସ୍ତତ୍ତ୍ବ ବୁଝିବା ପାଇଁ ଶିକ୍ଷା କ୍ଷେତ୍ରରେ ଦୀର୍ଘବର୍ଷର ଗବେଷଣାତ୍ମକ ଅଭିଜ୍ଞତା ଆବଶ୍ୟକ, ଯାହା ପ୍ରଶାସନିକ ଅଧିକାରୀଙ୍କ ପାଖରେ ନଥାଏ। ପିଲାଙ୍କ ପାଠ୍ୟବହିରେ ସାଂଘାତିକ ତ୍ରୁଟିକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ। କଂଗ୍ରେସ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଥିବା ବେଳେ ବିଜେଡି କହିଛି, ସରକାର ଦୋଷ ସ୍ବୀକାର କରି କ୍ଷମାପ୍ରାର୍ଥନା କରନ୍ତୁ। ସେପଟେ ବିଜେପି କହିଛି, ଏହା ଏକ ମୁଦ୍ରଣଜନିତ ତ୍ରୁଟି, ଯାହା ପାଇଁ ଏଭଳି ଭୁଲ ହୋଇଛି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ।
