ନ୍ୟାସନାଲ ଓପନ ସ୍ପିଡ ସ୍କେଟିଂ ଚମ୍ପିୟାନସିପ୍: ଓଡ଼ିଶାର ସାଇ ନିର୍ଜରାଙ୍କୁ ସ୍ୱର୍ଣ୍ଣ ସହ ଦୁଇଟି ରୌପ୍ୟ ପଦକ

ନୟାଗଡ଼,(ଓଡ଼ିଶା ଦର୍ପଣ): ରାଞ୍ଚିଠାରେ ଅନୁଷ୍ଠିତ ଜାତୀୟ ସ୍କେଟିଂ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିଭା ଚମକିଛନ୍ତି। ରୋଲର୍ ସ୍କେଟିଂ ଫେଡେରେସନ୍ ଅଫ୍ ଇଣ୍ଡିଆ ଆନୁକୂଲ୍ୟରେ ଗତ ଜୁନ୍ ୧୭ରୁ ୨୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ୧୨ତମ ଓପନ୍ ର‍୍ୟାଙ୍କିଙ୍ଗ୍ ନ୍ୟାସନାଲ୍ ସ୍ପିଡ୍ ସ୍କେଟିଂ ଚାମ୍ପିଅନସିପ୍-୨୦୨୬ରେ ଓଡ଼ିଶାର ପ୍ରତିନିଧିତ୍ୱ କରି ସାଇ ନିର୍ଜରା ପ୍ରଧାନ ଅସାଧାରଣ ପ୍ରଦର୍ଶନ କରିଛନ୍ତି। ସେ ଏହି ଜାତୀୟ ସ୍ତରର ପ୍ରତିଯୋଗିତାରେ ଗୋଟିଏ ସ୍ୱର୍ଣ୍ଣ ଏବଂ ଦୁଇଟି ରୌପ୍ୟ ପଦକ ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଦେଇଛନ୍ତି।
ପ୍ରତିଯୋଗିତାର ୧୨ରୁ ୧୫ ବର୍ଷ ବୟସ୍କା ମହିଳା କ୍ୱାଡ୍  ବର୍ଗରେ ସାଇ ନିର୍ଜରା ନିଜର ଦୃଢ଼ ସଂକଳ୍ପ ଓ ଚମତ୍କାର ସ୍କେଟିଂ ପ୍ରତିଭା ପ୍ରଦର୍ଶନ କରିଥିଲେ। ସେ ୫୦୦+ଡି ରେସ୍‌ରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ୧ ଲ୍ୟାପ୍ ରୋଡ୍ ରେସ୍ ଏବଂ ୧୦୦୦ ମିଟର ରେସ୍‌ରେ ଦ୍ୱିତୀୟ ସ୍ଥାନ ସହ ଦୁଇଟି ରୌପ୍ୟ ପଦକ ନିଜ ନାମରେ କରିଛନ୍ତି।


ଏଭଳି ଚିତ୍ତାକର୍ଷକ ସଫଳତା ପାଇଁ ସାଇ ନିର୍ଜରାଙ୍କ ନିଷ୍ଠା ଓ ପରିଶ୍ରମକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯିବା ସହ ତାଙ୍କର ଆଗାମୀ ଭବିଷ୍ୟତ ପାଇଁ ଶୁଭେଚ୍ଛାର ସୁଅ ଛୁଟିଛି। ସୂଚନା ଯୋଗ୍ୟ ଯେ ସାଇ ନିର୍ଜରା ହେଉଛନ୍ତି ନୟାଗଡ଼ ଏନଏସି ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ଉଷାରାଣୀ ପ୍ରଧାନଙ୍କ ଏକ ମାତ୍ର କନ୍ୟା।

ଅଧିକ ପଢନ୍ତୁ