ପୁରୀର ଭିତ୍ତିଭୂମି ବିକାଶ ପାଇଁ ଆଜି ଏକ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର । ପୁରୀ ସହରରେ ୧୦୦୦ ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର ନିର୍ମାଣ କରିଯିବ l ପୁରୀକୁ ସମ୍ମିଳନୀ, ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରଦର୍ଶନୀ ଏବଂ ବୃହତ ଜନସମାବେଶ ପାଇଁ ଏକ ପ୍ରମୁଖ ସ୍ଥଳ ଭାବେ ଗଢ଼ିତୋଳିବା ଲକ୍ଷ୍ୟରେ ଏହି ସମ୍ମିଳନୀ କେନ୍ଦ୍ର ନିର୍ମାଣ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ ।ପ୍ରସ୍ତାବିତ ପ୍ରକଳ୍ପକୁ ସମସ୍ତ ଅତ୍ୟାଧୁନିକ ସୁବିଧା ସୁଯୋଗ ଏବଂ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରିବା ଭଳି ସ୍ଥାନ ଭାବେ ପରିକଳ୍ପନା କରାଯାଇଛି ।’ସହରର ବର୍ଦ୍ଧିତ ଆବଶ୍ୟକତାକୁ ପୂରଣ କରିବା ଏବଂ ସହରାଞ୍ଚଳ ଭିତ୍ତିଭୂମି ତଥା ଜନସାଧାରଣଙ୍କ ସୁବିଧା ସୁଯୋଗକୁ ସୁଦୃଢ଼ କରିବା ଦିଗରେ ଏହି ସମ୍ମିଳନୀ କକ୍ଷ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ।’ ଏହି ପ୍ରକଳ୍ପର ଶୀଘ୍ର ରୂପାୟନ ପାଇଁ ଆବଶ୍ୟକ ପ୍ରଶାସନିକ ପ୍ରକ୍ରିୟା ଏବଂ ପ୍ରାଥମିକ ପ୍ରସ୍ତୁତି କାର୍ଯ୍ୟକୁ ପ୍ରାଥମିକତା ଭିତ୍ତିରେ ଆରମ୍ଭ କରିବାକୁ ପୁରୀ ମହାନଗର ନିଗମର କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।
