କେନ୍ଦ୍ର ସରକାରଙ୍କର ଇଥାନଲ ମିଶ୍ରଣ ପ୍ରୋଗ୍ରାମ ସୁପ୍ରିମକୋର୍ଟରେ ପହଞ୍ଚିବା ପରେ ସରକାର ଆଜି କୋର୍ଟରେ ଏହାର ଜବାବ ରଖିଛନ୍ତି। ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ ମିଶ୍ରଣ (ଇ-୨୦) ପ୍ରକ୍ରିୟା ବର୍ତ୍ତମାନ ସୁଦ୍ଧା ଏକ ଚଳିତ ପରୀକ୍ଷଣ ପର୍ଯ୍ୟାୟରେ ରହିଛି ଏବଂ ଆସନ୍ତା ବର୍ଷ ସୁଦ୍ଧା ଏହାର ପ୍ରକୃତ ପ୍ରଭାବ ସ୍ପଷ୍ଟ ହେବ ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। କର୍ଣ୍ଣାଟକ ହାଇକୋର୍ଟଙ୍କ ଏକ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସରକାରୀ ତୈଳ କମ୍ପାନି ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍ (ବିପିସିଏଲ୍) ପକ୍ଷରୁ ଦାଖଲ ହୋଇଥିବା ଏକ ଆବେଦନର ଶୁଣାଣି ବେଳେ ଆଟର୍ଣ୍ଣି ଜେନେରାଲ ଆର. ଭେଙ୍କଟରମଣି ଏହି ସୂଚନା ଦେଇଛନ୍ତି। ଏହି ମିଶ୍ରଣ ପ୍ରକ୍ରିୟା ଦ୍ୱାରା ପୁରୁଣା ଗାଡ଼ିଗୁଡ଼ିକ ନଷ୍ଟ ହେବା ସହ ମାଇଲେଜ୍ କମିଯିବାର ଆଶଙ୍କା ନେଇ ଦେଶରେ ଚାଲିଥିବା ଚର୍ଚ୍ଚା ମଧ୍ୟରେ ସରକାରଙ୍କ ଏହି ସ୍ପଷ୍ଟିକରଣ ସାମ୍ନାକୁ ଆସିଛି। ତେବେ ଇଥାନଲ ମିଶ୍ରଣ ଯୋଗୁଁ ଗାଡ଼ିର କୌଣସି ଯାନ୍ତ୍ରିକ କ୍ଷତି ହେବାର ସ୍ପଷ୍ଟ ପ୍ରମାଣ ନାହିଁ ଏବଂ ଏହି ନୀତି ଦେଶର ଶକ୍ତି ସୁରକ୍ଷା, ଚାଷୀ ଓ ପରିବେଶ ପାଇଁ ବେଶ୍ ଲାଭଦାୟକ ବୋଲି ସରକାର ଦାବି କରିଛନ୍ତି।ଶୁଣାଣି ସମୟରେ ଆଟର୍ଣ୍ଣି ଜେନେରାଲ କୋର୍ଟଙ୍କୁ କହିଛନ୍ତି ଯେ ୨୦ ପ୍ରତିଶତ ଇଥାନଲ ମିଶ୍ରଣକୁ ନେଇ ସରକାର ବର୍ତ୍ତମାନ ପରୀକ୍ଷା ନିରୀକ୍ଷା ଚଳାଇଛନ୍ତି ଏବଂ ଆସନ୍ତା ବର୍ଷ ସୁଦ୍ଧା ଏହାର ପରିଣାମ ହସ୍ତଗତ ହେବ। ପରେ ସେ ସ୍ପଷ୍ଟ କରିଛନ୍ତି ଯେ ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ ମିଶାଇବା ସରକାରଙ୍କ ଏକ ସ୍ଥାୟୀ ନୀତିଗତ ନିଷ୍ପତ୍ତି ଏବଂ ଏଥିରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ, କେବଳ ଚାହିଦା ମୁତାବକ ବିଭିନ୍ନ କମ୍ପାନିକୁ ଏହାର ଯୋଗାଣ ପରିମାଣ କମ୍ କିମ୍ବା ବେଶି ହୋଇପାରେ। ଭାରତ ଗତ ବର୍ଷ ହିଁ ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ ମିଶ୍ରଣର ଲକ୍ଷ୍ୟ ହାସଲ କରିସାରିଛି ଏବଂ ସମଗ୍ର ଦେଶରେ ଏହାର ଯୋଗାଣ ଜାରି ରହିଛି। ଏବେ ୨୦୩୦ ସୁଦ୍ଧା ଏହି ମିଶ୍ରଣ ପରିମାଣକୁ ୩୦ ପ୍ରତିଶତକୁ ବୃଦ୍ଧି କରିବା ପାଇଁ ସରକାର ନୂଆ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ତେବେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ କହିଥିଲା ଯେ ଇଥାନଲ ମିଶ୍ରଣ କାର୍ଯ୍ୟକ୍ରମ “ସୁରକ୍ଷିତ, ଗ୍ରାହକ-ଅନୁକୂଳ ଏବଂ ଅର୍ଥନୈତିକ ଦୃଷ୍ଟିରୁ ଲାଭଜନକ” । ଏଥିସହ E20 ଇନ୍ଧନ ବ୍ୟବହାର ଯୋଗୁ ଯାନବାହନ ବୀମା କଭରେଜ୍ ପ୍ରଭାବିତ ହୋଇପାରେ ବୋଲି ହେଉଥିବା ଆଶଙ୍କାକୁ ମନ୍ତ୍ରଣାଳୟ ଖଣ୍ଡନ କରିଥିଲା। ଜୁନ୍ ୨୪ରେ ଏକ ବିବୃତ୍ତିରେ, ମନ୍ତ୍ରଣାଳୟ କହିଥିଲା ଯେ E-20 ଇନ୍ଧନ ବୀମା ପଲିସିକୁ ଅବୈଧ କରିପାରେ ବୋଲି ଯେଉଁ ଦାବି କରାଯାଉଥିଲା, ତାହା ଅଂଶୀଦାରମାନଙ୍କ ସହିତ ଯାଞ୍ଚ କରାଯାଇଛି ଏବଂ ତାହା ଭୁଲ ବୋଲି ପ୍ରମାଣିତ ହୋଇଛି।
ମନ୍ତ୍ରଣାଳୟ କହିଛି ଯେ ଇଥାନଲ ମିଶ୍ରଣ ଏକ ବିଶ୍ୱସ୍ତରୀୟ ସ୍ୱୀକୃତ ପ୍ରଥା ଏବଂ ଏହା ଆମେରିକା, ବ୍ରାଜିଲ ଏବଂ ଜାପାନ ସମେତ ଅନେକ ଦେଶରେ ସଫଳତାର ସହ କାର୍ଯ୍ୟକାରୀ ହେଉଛି। ଇଥାନଲ ମିଶ୍ରଣ କାର୍ଯ୍ୟକ୍ରମ ଭାରତକୁ ଅଶୋଧିତ ତୈଳ ଆମଦାନୀ ହ୍ରାସ କରିବାରେ ଏବଂ ୧.୪ ଲକ୍ଷ କୋଟି ଟଙ୍କାରୁ ଅଧିକ ବୈଦେଶିକ ମୁଦ୍ରା ସଞ୍ଚୟ କରିବାରେ ସାହାଯ୍ୟ କରିଛି ବୋଲି ପେଟ୍ରୋଲିୟମ ମନ୍ତ୍ରଣାଳୟ କହିଛି। ତା ଛଡ଼ା ଏହା ପରିବେଶ ଅନୁକୁଳ ବୋଲି ସରକାର କହିଛନ୍ତି।
