ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ୩୦ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତିl ଦ୍ଵିତୀକୃଷ୍ଣ ପଟ୍ଟନାୟକ ଡେଲାଙ୍ଗ ଅରାଗଡ଼ ଅପର ପ୍ରାଇମେରୀ ସ୍କୁଲରୁ ଏଭଳି ଘଟଣା ସାମ୍ନାକୁ ଆସିଛି। ମଧ୍ୟାହ୍ନ ଭୋଜନରେ ଝିଟିପିଟି ପଡ଼ିଥିବା ଯୋଗୁଁ ପିଲାମାନେ ଅସୁସ୍ଥ ହେଇଥିବା ଜଣାପଡିଛି l ତେବେ ଝିଟିପିଟି ପଡିଥିବା ଖାଦ୍ୟ ଖାଇ ୩୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡିଛନ୍ତି ।
ଏହି ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ ଆମ୍ବୁଲାନ୍ସ ଡାକି ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ସେଠାରେ ସମସ୍ତଙ୍କର ଚିକିତ୍ସା ଚାଲିଥିବାବେଳେ ୬ ଜଣ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ସେମାନଙ୍କୁ ପୁରୀ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣା ପରେ ଡେଲାଙ୍ଗ ହସ୍ପିଟାଲରେ ଅଭିଭାବକମାନଙ୍କ ଭିଡ଼ ଜମିଥିଲା । ବିଦ୍ୟାଳୟରେ ଖାଦ୍ୟ ପ୍ରସ୍ତୁତିରେ ଅବହେଳା ଓ ଅସାବଧାନତା ଅଭିଯୋଗ କରି ଶିକ୍ଷକ ଓ ପାଚିକାଙ୍କ ବିରୋଧରେ କ୍ଷୋଭ ପ୍ରକାଶ କରିଛନ୍ତି ।
