ନୂଆଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଓଡ଼ିଶାର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ସଂପର୍କରେ ବିଶଦ ଆଲୋଚନା ହୋଇଛି।କେନ୍ଦ୍ର ଗୃହମନ୍ତ୍ରୀଙ୍କ ଦୃଢ଼ ନେତୃତ୍ୱ ଯୋଗୁଁ ଓଡ଼ିଶା ଆଜି ଏକ “ନକ୍ସଲମୁକ୍ତ ରାଜ୍ୟ” ଭାବେ ମାନ୍ୟତା ପାଇପାରିଛି ବୋଲି ଦର୍ଶାଇ ମୁଖ୍ୟମନ୍ତ୍ରୀ ତାଙ୍କୁ ଧନ୍ୟବାଦ ଦେଇଥିଲେ। ନକ୍ସଲ ଦମନରେ ଏହି ସଫଳତା ରାଜ୍ୟର ସାମାଜିକ-ଅର୍ଥନୈତିକ ବିକାଶ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଛି ବୋଲି ସେ କହିଥିଲେ । ନକ୍ସଲ ମୁକ୍ତ ଅଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର ‘ଗ୍ରାମୋଦୟ ଯୋଜନା’ ମାଧ୍ୟମରେ ସେହି ଅଞ୍ଚଳ ଗୁଡ଼ିକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ କଲ୍ୟାଣକାରୀ ଯୋଜନା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରୁଛନ୍ତି।
ସକ୍ରିୟ ପୋଲିସିଂ ଯୋଗୁଁ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀ ଗସ୍ତରେ ଯାଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ରାଜ୍ୟର ରେଳ ସଂଯୋଗୀକରଣ ଏବଂ ବିଭିନ୍ନ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ବିସ୍ତୃତ ଆଲୋଚନା ହୋଇଛି।
